ଚୀନ ଫାୟର ଡ୍ରିଲର ଜବାବ: ସମୁଦ୍ରରେ ଶକ୍ତି ପ୍ରଦର୍ଶନ କରିବେ ଭାରତ ସମେତ ୧୭ ଦେଶ

ନୂଆଦିଲ୍ଲୀ: ତାଇୱାନ ଉପରେ ଆକ୍ରୋଶ ରଖିଥିବା ଚୀନ ଏବେ ଦକ୍ଷିଣ ସାଗର ନିକଟରେ ଦାଦାଗିରି ଦେଖାଉଛି । ବିଗତ କିଛି ଦିନ ହେଲା ତାଇୱାନକୁ ଘେରି ଲାଇଭ୍ ଫାୟର ଡ୍ରିଲ କରୁଛି । ଚୀନର ଏହି ଦାଦାଗିରିକୁ ଜବାବ ଦେବା ପାଇଁ ଅଷ୍ଟ୍ରେଲିଆର ସମୁଦ୍ର ଅଂଚଳରେ ବହୁତ ବଡ଼ ଯୁଦ୍ଧାଭ୍ୟାସ ହେବାକୁ ଯାଉଛି । ଆଜିଠାରୁ ଆରମ୍ଭ ହେବାକୁ ଥିବା ଏହି ଯୁଦ୍ଧାଭ୍ୟାସରେ ଭାରତ ସମେତ ୧୭ଟି ଦେଶ ସାମିଲ ହୋଇପାରନ୍ତି । ଯୁଦ୍ଧାଭ୍ୟାସରେ ସାମିଲ ଦେଶ ସ୍ପଷ୍ଟ କରିଦେଇଛନ୍ତି ଯେ, ଏହି ଡ୍ରିଲର ଚୀନ ସହିତ କୌଣସି ସଂପର୍କ ନାହିଁ । କିନ୍ତୁ ଏହାରି ଉପରେ ସମସ୍ତଙ୍କର ନଜର ରହିଛି ।

ପିଚ ବ୍ଲକ ନାମରେ ଏହି ଅଭ୍ୟାସ ଅଗଷ୍ଟ ୧୯ରୁ ସେପ୍ଟେମ୍ବର ୬ ତାରିଖ ଯାଏଁ ଜାରି ରହିବ । ଏଥିରେ ପାଖାପାଖି ୧୦୦ ଲଢୁଆ ବିମାନ ଓ ୨୫୦୦ ସେନାକର୍ମୀ ଅଂଶଗ୍ରହଣ କରିବେ । କରୋନା କାଳ ପରେ ଗଣତାନ୍ତ୍ରିକ ଦେଶର ଏହା ହେଉଛି ସବୁଠାରୁ ବଡ଼ ଶକ୍ତିପ୍ରଦର୍ଶନ । ଭାରତୀୟ ବାୟୁସେନା ଏହି ଯୁଦ୍ଧାଭ୍ୟାସ ପାଇଁ ସୁଖୋଇ ୩୦ଏମକେଆଇ ଓ ଆକାଶରେ ହିଁ ବିମାନରେ ଇନ୍ଧନ ଭର୍ତ୍ତି କରିପାରୁଥିବା ବିମାନକୁ ପଠାଉଛି ।

ସୂଚନାଯୋଗ୍ୟ, ଏହି ଯୁଦ୍ଧାଭ୍ୟାସରେ ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଭାରତ, ଜାପାନ, ମାଲେସିଆ, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, ଫିଲିପାଇନ୍ସ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଥାଇଲାଣ୍ଡ, ସଂଯୁକ୍ତ ଆର ଇମିରାତ, ବ୍ରିନେଟ ଓ ଆମେରିକା ଅଂଶଗ୍ରହଣ କରୁଛନ୍ତି । ଏହି ଦେଶଗୁଡ଼ିକ କିନ୍ତୁ ସ୍ପଷ୍ଟ କରିଛନ୍ତି ଯେ, ଯୁଦ୍ଧାଭ୍ୟାସ ଚୀନ ବିରୋଧରେ ନୁହେଁ ।

Related Articles

Back to top button