ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ୨୦୪ ଯାତ୍ରୀଙ୍କ ମୃତ୍ୟୁ : କୋଟିଏ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛି ଟାଟା ଗ୍ରୁପ୍‌

ଅହମ୍ମଦାବାଦ ବିମାନ ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଲଣ୍ଡନ ଅଭିମୁଖେ ବାହାରି ପ୍ରାଣ ହରାଇଥିବା ଯାତ୍ରୀ କେବେ ଭାବି ନଥିବେ ଏହା ଯେ ଶେଷ ଯାତ୍ରା ହେବ । ୨୪୨ ଯାତ୍ରୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୦୪ ଯାତ୍ରୀଙ୍କ ମୃତ୍ୟୁ ହୋଇ ସାରିଛି । ଏବେ ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କରିଛି ଟାଟା ଗ୍ରୁପ୍‌ । ପ୍ରତି ମୃତକଙ୍କ ପରିବାର ପାଇଁ କୋଟିଏ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛି ଟାଟା ଗ୍ରୁପ୍‌ । ଖାଲି ସେତିକି ନୁହେଁ, ଆହତ ହୋଇଥିବା ଯାତ୍ରୀଙ୍କ ଚିକିତ୍ସା ଖର୍ଚ୍ଚ ବି ବହନ କରିବ । ବିଜେ ମେଡିକାଲର ଯେଉଁ କୋଠା ଉପରେ ବିମାନ ଖସି ପଡ଼ିଥିଲା ତାହାର ଦାୟିତ୍ୱ ବି ଟାଟା ଗ୍ରୁପ ନେଇଛି । ଏହାକୁ ମରାମତି କରିବ ଟାଟା ଗ୍ରୁପ୍‌ । ଏହାକୁ ନେଇ ଟାଟା ଗ୍ରୁପ୍‌ ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ ସୂଚନା ଦେଇଛନ୍ତି ।

ଆଜି ପ୍ରାୟ ଦିନ ୧. ୩୮ ବେଳେ ଅହମ୍ମଦାବାଦ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା ଏୟାର ଇଣ୍ଡିଆର ଏକ ବିମାନ । ଅହମ୍ମଦାବାଦ ବିମାନ ବନ୍ଦରରୁ ଲଣ୍ଡନ ଅଭିମୁଖେ ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନ ଟେକ୍‌ଅଫ୍‌ କରିଥିଲା । ଏହି ବିମାନରେ ମୋଟ କ୍ର୍ୟୁ ମେମ୍ବରକୁ ମିଶାଇ ମୋଟ ୨୪୨ ଜଣ ଯାତ୍ରୀ ରହିଥିଲେ । ସେମାନଙ୍କ ମଧ୍ୟରେ ୧୬୯ ଭାରତୀୟ ନାଗରିକ, ୫୩ ବ୍ରିଟିସ ନାଗରିକ, ୭ ପର୍ତ୍ତୁଗାଲ ନାଗରିକ ଓ ଜଣେ କାନାଡାର ନାଗରିକ ଯାତ୍ରା କରୁଥିଲେ । ହେଲେ ମାତ୍ର ୫ ମିନିଟ ମଧ୍ୟରେ ଏହାରେ ବିଜେ ମେଡିକାଲ କଲେଜ୍ ଡାକ୍ତରୀ ଛାତ୍ରୀ ହଷ୍ଟେଲ କୋଠା ଉପରେ ଖସି ପଡ଼ିଥିଲା । କେହି କିଛି ବୁଝିବା ପୂର୍ବରୁ ବିମାନଟି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ଯେଉଁଥିରେ ୨୦୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଥିରେ କ୍ର୍ୟୁ ମେମ୍ବର ବି ସାମିଲ ରହିଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଏହି ଦୁର୍ଘଟଣାରେ ପ୍ରାୟ ୫୦ ଜଣ ସାଧାରଣ ନାଗରିକ ବି ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି

Related Articles

Back to top button