ଏକ ଦେଶ- ଏକ ନିର୍ବାଚନ ’ ନେଇ କେନ୍ଦ୍ରର ବଡ ନିଷ୍ପତ୍ତି

ସଂସଦର ସ୍ବତନ୍ତ୍ର ଅଧିବେଶନରେ ଆସିବ ‘ଏକ ଦେଶ- ଏକ ନିର୍ବାଚନ’। ଏଥିପାଇଁ ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଏକ କମିଟି ଗଠନ କରିଛନ୍ତି । ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟି ଏହି ସାମ୍ଭାବ୍ୟ ବିଲର ସମସ୍ତ ଦିଗ ଉପରେ ବିଚାର କରି ଲୋକମାନଙ୍କ ମତାମତ ନେବେ। ତେବେ ଏହି କମିଟିରେ ଆଉ କେଉଁମାନେ ସାମିଲ ହେବେ ତାହା ଜଣାପଡିନାହିଁ ।

‘ଏକ ଦେଶ- ଏକ ନିର୍ବାଚନ’ ବିଲ୍ ପାସ ହେଲେ ଏକସଙ୍ଗେ ଲୋକସଭା ଓ ସବୁ ରାଜ୍ୟର ବିଧାନସଭା ନିର୍ବାଚନ ହେବ । କିନ୍ତୁ ଏହି ବିଲ ପାଇଁ ସମ୍ବିଧାନରେ ସଂଶୋଧନ ଆବଶ୍ୟକ। ତେଣୁ ଏହି ସ୍ବଳ୍ପ ସମୟ ଭିତରେ ଏକ ସମୟରେ ଭୋଟ କରିବା ସମ୍ଭବ ହୋଇନପାରେ । ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ତାରିଖ ମଧ୍ୟରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହେବାକୁ ଯାଉଛି ।

ଏହା ପରେ ହିଁ ନିଷ୍ପତ୍ତି ନିଆଯିବ ଯେ ଆଗାମୀ ଦିନରେ ସରକାର ଲୋକସଭା ନିର୍ବାଚନ ସହିତ ସମସ୍ତ ରାଜ୍ୟରେ ବିଧାନସଭା ନିର୍ବାଚନ କରିବାକୁ ସରକାର ପ୍ରସ୍ତୁତ ହେବେ କି ନାହିଁ । ବର୍ତ୍ତମାନ ପରିପ୍ରେକ୍ଷୀରେ ‘ଏକ ଦେଶ- ଏକ ନିର୍ବାଚନ’ ବିଲ୍‌ ପାସ ହେଲେ ଲୋକସଭା ନିର୍ବାଚନ ସହ ୧୨ଟି ରାଜ୍ୟର ବିଧାନସଭା ହୋଇପାରିବ। ଏହି ୧୨ ରାଜ୍ୟ ଭିତରେ ଅଛନ୍ତି ଓଡ଼ିଶା, ସିକିମ, ତେଲେଙ୍ଗାନା, ହରିଆଣା, ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଆଦି ରାଜ୍ୟ। ଏସବୁ ରାଜ୍ୟରେ ୨୦୨୩ ଶେଷାର୍ଦ୍ଧ ଏବଂ ୨୦୨୪ରେ ବିଧାନସଭା ନିର୍ବାଚନ ହେବାର ଅଛି।

ଏହା ଲାଗୁ ହେଲେ ବାରମ୍ବାର ନିର୍ବାଚନ ପାଇଁ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କା ବଞ୍ଚି ପାରିବ ବୋଲି କୁହାଯାଉଛି । ୧୯୫୧-୫୨ ଲୋକସଭା ନିର୍ବାଚନରେ ୧୧ କୋଟି ଖର୍ଚ୍ଚ ହୋଇଥିବା ବେଳେ ୨୦୧୯ ଲୋକସଭା ନିର୍ବାଚନରେ ୬୦ କୋଟି ଖର୍ଚ୍ଚ ହୋଇଥିଲା । ଭାରତ ପରି ବିଶାଳ ଦେଶରେ ବାରମ୍ବାର ନିର୍ବାଚନରୁ ମୁକ୍ତି ମିଳି ପାରିବ।

Related Articles

Back to top button