ଦୀର୍ଘ ୮୯ ବର୍ଷର ପୁରୁଣା ମୁସଲିମ ବିବାହ ଓ ଛାଡପତ୍ର ଆଇନକୁ ରଦ୍ଦ କରିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡ ପରେ ଏବେ ଆସାମରେ ୟୁନିଫର୍ମ ସିଭିଲ କୋଡ୍‌ ତଥା ୟୁସିସିକୁ ନେଇ ଆଉ ପାଦେ ଆଗେଇଛନ୍ତି ସରକାର। ଦୀର୍ଘ ୮୯ ବର୍ଷର ପୁରୁଣା ମୁସଲିମ ବିବାହ ଓ ଛାଡପତ୍ର ଆଇନକୁ ରଦ୍ଦ କରିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ଶ୍ରୀ ଶର୍ମା ଗତ ଶୁକ୍ରବାର ଏହି ଆଇନକୁ ରଦ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକରେ ମଧ୍ୟ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ, “ଆସାମ କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟରେ ମୁସଲିମ ବିବାହ ଏବଂ ଛାଡପତ୍ର ପଞ୍ଜିକରଣ ଆଇନ ୧୯୩୦କୁ ପ୍ରତ୍ୟାହାର କରିନେଇଛି। ଆଇନ୍ ଅନୁଯାୟୀ ବର ଏବଂ କନ୍ୟାଙ୍କର ଆଇନଗତ ବୟସ ୧୮ ଏବଂ ୨୧ ନଥିଲେ ମଧ୍ୟ ପୁରୁଣା ବ୍ୟବସ୍ଥାରେ ବିବାହ ପଞ୍ଜିକରଣକୁ ଅନୁମତି ଦେଇଥିବା ବ୍ୟବସ୍ଥା ଅନ୍ତର୍ଭୁକ୍ତ ଥିବା ବେଳେ ଆସାମରେ ବାଲ୍ୟ ବିବାହ ଉପରେ ପ୍ରତିବନ୍ଧକ ଲଗାଇବା ଦିଗରେ ଏହି ନିଷ୍ପତ୍ତି ହେଉଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।”

ଶୁକ୍ରବାର କ୍ୟାବିନେଟ ବୈଠକ ପରେ ଆସାମ ମନ୍ତ୍ରୀ ଜୟନ୍ତ ବରୁଆ କହିଛନ୍ତି ଯେ, ‘ମୁଖ୍ୟମନ୍ତ୍ରୀ ଘୋଷଣା କରିସାରିଛନ୍ତି ଯେ ଆସାମରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରାଯିବ। ଏହି ଆଇନ ଅନ୍ତର୍ଗତ ଆମେ ମୁସଲିମ ବିବାହ ଏବଂ ଛାଡପତ୍ର ପଞ୍ଜିକରଣ ଆଇନକୁ ରଦ୍ଦ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ। ଏବେ ମୁସଲିମ ବିବାହ ଓ ଛାଡପତ୍ର ସମ୍ପର୍କିତ ସମସ୍ତ ମାମଲା ସ୍ୱତନ୍ତ୍ର ମ୍ୟାରେଜ ଆକ୍ଟ ଅନୁଯାୟୀ ହେବ। ମୁସଲିମ ବିବାହ ଓ ଛାଡପତ୍ର ସମ୍ପର୍କିତ ମାମଲା ପଞ୍ଜିକରଣ ପାଇଁ ଜିଲ୍ଲା ଆୟୁକ୍ତ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ଦାୟିତ୍ୱ ଦିଆଯିବ।’

ଆସାମରେ ଏହି ନିୟମ ଲାଗୁ ହେବା ପରେ ମୁସଲିମ ବିବାହ ଛାଡପତ୍ର ଅଧିନିୟମ ଅନୁଯାୟୀ କାମ କରୁଥିବା ୯୪ ମୁସଲିମ ରେଜିଷ୍ଟ୍ରାର୍‌ଙ୍କୁ ପଦରୁ ହଟାଇ ଦିଆଯାଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବା ସହ କାର୍ଯ୍ୟଭାରରୁ ମୁକ୍ତ କରାଯାଇଛି।ତେବେ UCC ବା ଏକକ ନାଗରିକ ସଂହିତା ଆଇନ ଲାଗୁ ହେଲେ ବିବାହ, ଛାଡ଼ପତ୍ର, ସମ୍ପତ୍ତି ଓ ପୋଷ୍ୟ ସନ୍ତାନ କ୍ଷେତ୍ରରେ ସମସ୍ତଙ୍କର ଗୋଟିଏ ଅଧିକାର ରହିବ। ପରିବାର ସଦସ୍ୟଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କ ଓ ଅଧିକାର ମଧ୍ୟ ସମାନ ରହିବ। ପ୍ରତି ଧର୍ମ ପାଇଁ ବିବାହ, ଛାଡ଼ପତ୍ର ଲାଗି ଗୋଟିଏ ଆଇନ ରହିବ । ବିନା ଛାଡ଼ପତ୍ରରେ ଏକାଧିକ ବିବାହ ପାଇଁ ଅନୁମତି ନ ମିଳିବା ବେଳେ ଯଦି କେହି ଏପରି କଲେ ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

Related Articles

Back to top button