ଦେଶର ସବୁଠୁ ପୁରୁଣା ପାର୍ଟିର ସଂସ୍କାର ଗୃହରେ ନାରାବାଜି କରିବା : ଓମ୍ ବିର୍ଲା

ଲୋକସଭାର ବାଚସ୍ପତି ଓମ ବିର୍ଲା ଗୁରୁବାର ଗୃହରେ ପ୍ରବଳ ହଟ୍ଟଗଗୋଳ କରୁଥିବା କଂଗ୍ରେସ ସାଂସଦମାନଙ୍କ ଉପରେ ତେରଚ୍ଛା ବାଣ ମାରିଛନ୍ତି । ସେ କହିଛନ୍ତି ଦେଶର ସବୁଠୁ ପୁରୁଣା ପାର୍ଟିର ସଂସ୍କାର ଗୃହରେ ନାରାବାଜି କରିବା, ପ୍ଲାକାର୍ଡ ଆଣିବା ଓ ଟେବୁଲ ବାଡେଇବା ରହିନାହିଁ । ଏହି ଦଳର ବର୍ତ୍ତମାନର ସାଂସଦଙ୍କ ଆଚରଣ ପୂରା ଦେଶ ଦେଖୁଛି । କଂଗ୍ରେସ ଓ ଏହାର ସହଯୋଗୀ ଦଳର ସଦସ୍ୟ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିହାରରେ ଜାରି ଭୋଟର ତାଲିକାର ପୁନଃ ନିରୀକ୍ଷଣ ପ୍ରସଙ୍ଗକୁ ନେଇ ହଙ୍ଗାମା କରିଥିଲେ । ଏଥିରେ ଗୃହ କାର୍ଯ୍ୟ ପ୍ରଭାବିତ ହୋଇଛି ।ବିର୍ଲା କହିଛନ୍ତି, ଆପଣମାନଙ୍କୁ ପ୍ରଥମରୁ କୁହାଯାଇଛି ଯେ, ସଂସଦରେ ପ୍ରଶ୍ନକାଳ ଏକ ମହତ୍ୱପୂର୍ଣ୍ଣ ସମୟ ହୋଇଥାଏ । ଏଥିରେ ଜନତାଙ୍କ ମହତ୍ୱପୂର୍ଣ୍ଣ ପ୍ରଶ୍ନ ପଚରା ଯାଏ ଏବଂ ଏହା ଉପରେ ସରକାର ଉତ୍ତରଦାୟୀ ହୁଅନ୍ତି । ଅନେକ ସାଂସଦ କହିଛନ୍ତି, ପ୍ରଶ୍ନକାଳ ସମୟରେ ବହୁତ ମୁସ୍କିଲ ପ୍ରଶ୍ନ କରାଯାଉଛି । ମାତ୍ର ଆପଣମାନଙ୍କ ବ୍ୟବହାର ଯେଉଁଭଳି ରହିଛି, ତାହା ସଂସଦର ଗରିମାର ଅନୁକୂଳ ନୁହେଁ ।

କଂଗ୍ରେସର ନାଁ ନ ନେଇ ବାଚସ୍ପତି କହିଛନ୍ତି, ଆପଣମାନେ ଏତେ ପୁରୁଣା ରାଜନୈତିକ ଦଳର ସାଂସଦ । ଯାହାଙ୍କ ଏହି ସଦନ ଭିତରେ ଗରିମା ଓ ମର୍ଯ୍ୟାଦାର ବହୁତ ବଡ ଯୋଗଦାନ ରହିଛି । ମାତ୍ର ଆଜି ଆପଣମାନଙ୍କୁ ଲୋକ ଦେଖୁଛନ୍ତି, କେଉଁଭଳି ଭାବେ ଆପଣ ଗୃହର ବ୍ୟବହାର କରୁଛନ୍ତି । ପ୍ଲାକାର୍ଡ ନେଇକି ଆସୁଛନ୍ତି ଏବଂ ଟେବୁଲ ବାଡଉଛନ୍ତି । ସଂସଦର ଗରିମା ଓ ମର୍ଯ୍ୟାଦା ବଜାୟ ରଖିବାକୁ ଓମ ବିର୍ଲା ସାଂସଦମାନଙ୍କୁ ଆହ୍ୱାନ କରିଛନ୍ତି ।

କେବଳ ଏତିକି ନୁହେଁ ବିର୍ଲା କଂଗ୍ରେସର ସଂଗଠନ ସାଧାରଣ ସଂପାଦକ କେସି ବେଣୁଗୋପାଳଙ୍କୁ କହିଛନ୍ତି, ବେଣୁଗୋପାଳ ଜୀ କଣ ଆପଣ ନିଜ ସାଂସଦମାନଙ୍କୁ ଏହା ଶିଖାଉଛନ୍ତି । ନାରାବାଜି କରିବା, ଟେବୁଲ ବାଡେଇବା ଆପଣଙ୍କ ପାର୍ଟିର ସଂସ୍କାର ନୁହେଁ, ମାତ୍ର ନୂଆ ପିଢି ଯେଉଁ ଭଳି ସଂସ୍କାର ଦେଖାଉଛନ୍ତି ତାହା ପୂରା ଦେଶ ଦେଖୁଛି । ଆପଣ ସମସ୍ତେ ମାନନୀୟ, ଲକ୍ଷାଧିକ ଲୋକ ଆପଣଙ୍କୁ ନିର୍ବାଚିତ କରି ପଠାଇଛନ୍ତି । ପ୍ଲାକାର୍ଡ ଆଣି ଟେବୁଲ ଭାଙ୍ଗିବାକୁ ପଠାଇ ନାହାନ୍ତି ।

Related Articles

Back to top button