ଦିଲ୍ଲୀରେ ଲାଗୁ ହେଲା ‘ଗ୍ରାପ୍‌’ର ଚତୁର୍ଥ ପର୍ଯ୍ୟାୟ

ଦିଲ୍ଲୀ-ଏନ୍‌ସିଆର୍‌ରେ ବାୟୁ ପ୍ରଦୂଷଣ ଜଟିଳ ରୂପ ନେଇଛି। ଏଭଳି ସ୍ଥିତିରେ ଏଠାରେ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ‘ଗ୍ରାପ୍‌’ର ଚତୁର୍ଥ ପର୍ଯ୍ୟାୟ ଲାଗୁ କରିଛି। ଏହା ପୂର୍ବରୁ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଲାଗୁ ହୋଇସାରିଛି। ଚତୁର୍ଥ ପର୍ଯ୍ୟାୟର ପ୍ରତିବନ୍ଧକ ଏବେଠାରୁ ଲାଗୁ କରାଯାଇଛି।

ଦିଲ୍ଲୀରେ ଲାଗୁ ହୋଇଥିବା ପ୍ରତିବନ୍ଧକ:

-ଦିଲ୍ଲୀରେ ଟ୍ରକ୍‌ଗୁଡ଼ିକର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଏବଂ CNG ଯାନଗୁଡ଼ିକ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।

-ଦିଲ୍ଲୀରେ ସମସ୍ତ ବୈଦ୍ୟୁତିକ, ସିଏନ୍‌ଜି ଏବଂ ବିଏସ୍‌-VI ଡିଜେଲ୍‌ ବ୍ୟତୀତ ଦିଲ୍ଲୀ ବାହାରେ ପଞ୍ଜୀକୃତ ଛୋଟ ଗାଡ଼ିଗୁଡ଼ିକୁ ରାଜଧାନୀରେ ପ୍ରବେଶ ଦିଆଯିବ ନାହିଁ। ଆବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକୁ ଛାଡ୍‌ କରାଯିବ।

-ଦିଲ୍ଲୀରେ ଡିଜେଲ ମଧ୍ୟମ ମାଲ୍‌ଗାଡ଼ି ଏବଂ ଭାରୀ ସାମଗ୍ରୀ ଯାନ ଉପରେ ପ୍ରତିବନ୍ଧକ ରହିବ।

-ରାଜପଥ, ସଡକ, ଫ୍ଲାଏ ଓଭର, ଓଭରବ୍ରିଜ୍, ବିଦ୍ୟୁତ୍ ଟ୍ରାନ୍ସମିଶନ, ପାଇପଲାଇନ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲାଗିବ।

-ନିଜ କର୍ମଚାରୀଙ୍କୁ ଘରୁ କାମ କରିବାକୁ ଅନୁମତି ଦେବା ଉପରେ କେନ୍ଦ୍ର ସରକାର ଉଚିତ୍‌ ନିର୍ଣ୍ଣୟ ନେଇପାରିବେ।

-ରାଜ୍ୟ ସରକାର ଅତିରିକ୍ତ ଜରୁରୀକାଳୀନ ପଦକ୍ଷେପ ଉପରେ ବିଚାର କରିପାରନ୍ତି, ଯେଉଁଥିରେ କଲେଜ/ଶିକ୍ଷାନୁଷ୍ଠାନ ଏବଂ ଅଣ-ଜରୁରୀକାଳୀନ ବାଣିଜ୍ୟିକ ସଂସ୍ଥାକୁ ବନ୍ଦ କରିବା ସାମିଲ ରହିଛି। ଏହା ସହିତ ଯାନବାହାନକୁ ନେଇ ‘ଅଡ୍‌-ଇଭେନ୍‌’ ସ୍କିମ୍‌ କାର୍ଯ୍ୟକାରୀ କରାଯାଇପାରିବ।

ସେପଟେ ଏଭଳି ପ୍ରଦୂଷଣ ବୃଦ୍ଧି ଏବଂ GRAP-୪ ଲାଗୁ କରିବା ନେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରେ ଦିଲ୍ଲୀ ସଚିବାଳୟରେ ସମସ୍ତ ବିଭାଗର ବୈଠକ ଡାକିଛନ୍ତି। ଏହି ବୈଠକରେ ପରିବହନ, ଶିକ୍ଷା, ଏମସିଡି, ଏନଡିଏମସି, ଡିସିବି, ରାଜସ୍ୱ, ଦିଲ୍ଲୀ ପୋଲିସ, ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟିର ଅଧିକାରୀମାନେ ଯୋଗଦେବେ।

Related Articles

Back to top button