ମୋଦୀଙ୍କ ଉପହାରକୁ କିଣିବାର ସୁଯୋଗ ପାଇବେ ସାଧାରଣ ଜନତା

ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପହାରକୁ କିଣିବାର ସୁଯୋଗ ପାଇବେ ସାଧାରଣ ଜନତା । ସେଥିପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇ ସାରିଛି । ଦେଶ ବିଦେଶରୁ ମିଳିଥିବା ୬୦୦ରୁ ଉର୍ଦ୍ଧ୍ୱ ଉପହାର ସାମଗ୍ରୀକୁ ନିଲାମ କରାଯାଉଛି । ପ୍ରଧାନମନ୍ତ୍ରୀ ନିଜେ ଏ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ପ୍ରତ୍ୟେକ ବର୍ଷ ସାର୍ବଜନୀନ କାର୍ଯ୍ୟକ୍ରମରେ ମିଳୁଥିବା ବିଭିନ୍ନ ସ୍ମାରକୀର ନିଲାମ କରାଯାଏ । ଗଙ୍ଗା ନଦୀର ସଂରକ୍ଷଣ ଏବଂ ନବୀକରଣ ପାଇଁ ‘ନମାମୀ ଗଙ୍ଗେ’ ଏକ ସରକାରୀ ପଦକ୍ଷେପ । ଏହି ପଦକ୍ଷେପରେ ନିଲାମରୁ ପ୍ରାପ୍ତ ଟଙ୍କା ଖର୍ଚ୍ଚ କରାଯାଏ ।ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ଓ ସ୍ମାରକୀର ଇ-ନିଲାମ ପ୍ରକ୍ରିୟା ଚାଲିଛି । ଏହା ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ୬୦୦ରୁ ଅଧିକ ଉପହାର ଓ ସ୍ମାରକୀକୁ ଅନଲାଇନରେ ନିଲାମ କରାଯାଉଛି । ଏଥିରେ ଛୋଟରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ଉପହାର ଯଥା ଟୋପି, ଜୋତା, ପ୍ରଭୁ ରାମଙ୍କ ମୂର୍ତ୍ତି, ରାମ ମନ୍ଦିର ମଡେଲ୍‌, କଳସ, ବିଭିନ୍ନ ଫୋଟୋ ଫ୍ରେମ ଆଦି ରହିଛି । ସବୁଠାରୁ ଶସ୍ତା ଉପହାର ୭୦୦ ଟଙ୍କାରୁ ଆରମ୍ଭ ହୋଇ ୯ ଲକ୍ଷ ଟଙ୍କା ଯାଏ ଉପହାର ଉପଲବ୍ଧ ରହିଛି ।

ରାମ ମନ୍ଦିର ଷ୍ଟାଚ୍ୟୁର ମୂଲ୍ୟ ଏବଂ ପ୍ୟାରିସ୍‌ ପାରା ଅଲିମ୍ପିକରେ କାଂସ୍ୟ ପଦକ ବିଜେତା ନିତ୍ୟା ଶ୍ରୀ ସିଭାନ୍‌ଙ୍କର ବ୍ୟାଡମିଣ୍ଟନ ରାକେଟର ଦାମ୍‌ ସାଢେ ୫ ଲକ୍ଷ ରଖାଯାଇଛି । ସେହିପରି ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଥିବା ଶରଦ କୁମାରଙ୍କ ଟୋପିର ସର୍ବାଧିକ ମୂଲ୍ୟ ୯ ଲକ୍ଷ ଟଙ୍କା ରହିଛି । ଅଲିମ୍ପିକ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଜାଭଲିନର ଦାମ ୩, ୩୪, ୮୦୦ ଟଙ୍କା ରହିଛି । ସଂସ୍କୃତି ମନ୍ତ୍ରାଳୟ ଦ୍ୱାରା ଦିଆଯାଇଥିବା ଲିଙ୍କ୍ https://pmmementos.gov.in/ ରେ ଉପହାର କିଣି ହେବ । ନିଜର ନାମ ପଞ୍ଜିକରଣ କରି ଉପହାର କିଣି ପାରିବେ । ଯଦି ଏହି ଉପହାର ଗୁଡିକୁ କେହି ଦେଖିବାକୁ ଚାହଁଛନ୍ତି ତେବେ ସେମାନେ ଦିଲ୍ଲୀ ଜୟପୁର ହାଉସରେ ଥିବା ନ୍ୟାସନାଲ ଗ୍ୟାଲେରୀକୁ ଯାଇ ଦେଖି ପାରିବେ । ଏହି ଗ୍ୟାଲେରୀ ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ଖୋଲା ରହୁଛି । ୨୦୨୩ ମସିହାରେ, ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ୯୧୨ ଉପହାର ନିଲାମ କରାଯାଇଥିଲା।

Related Articles

Back to top button