ଭାରତରେ ଏଚଏମପିଭି ଭାଇରସକୁ ନେଇ ଚିନ୍ତା କରିବାର କାରଣ ନାହିଁ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
ଚୀନରେ ଆତଙ୍କ ଖେଳାଇଛି ଏଚଏମପିଭି ଭାଇରସ୍, ବଢିବାରେ ଲାଗିଛି ଶ୍ବାସକ୍ରିୟା ଜନିତ ଅସୁସ୍ଥତା । ତେବେ ଭାରତରେ ଏହି ଭାଇରସକୁ ନେଇ ଚିନ୍ତା କରିବାର କିଛି କାରଣ ନାହିଁ ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଶନିବାର ଏକ ବିବୃତି ଜାରି କରି ମନ୍ତ୍ରାଳୟ କହିଛି ଯେ ଚୀନରେ ଏହି ସ୍ଥିତି କିଛି ଅସାଧାରଣ ନୁହେଁ, ଭାରତ ଏହା ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ଏଚଏମପିଭିର ସ୍ଥିତି ଆକଳନ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ଜଏଣ୍ଟ ମନିଟରିଂ ଗ୍ରୁପ୍ ବୈଠକ କରିବାର ଗୋଟିଏ ଦିନ ପରେ ଏହି ବିବୃତ୍ତି ଜାରି କରାଯାଇଛି ।କୌଣସି ବିପନ ସମ୍ପର୍କରେ ଅବଗତ ହେବାପାଇଁ ଅଧିକାରୀ ମାନେ ଲଗାତର ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅପଡେଟ୍ ଆକଳନ କରୁଛନ୍ତି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସଂକ୍ରମଣର ମୁକାବିଲା ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା ସମ୍ପର୍କରେ ଅବଗତ କରାଇବାକୁ ‘ହୁ’କୁ ଅନୁରୋଧ କରାଯାଇଛି । ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ବାସକ୍ରିୟାଜନିତ ସଂକ୍ରମଣ ବୃଦ୍ଧି ହୋଇନାହିଁ କି ଉକ୍ତ ମାମଲାରେ ହସ୍ପିଟାଲରେ ରୋଗୀକ ସଂଖ୍ୟା ମଧ୍ୟ ବଢିନାହିଁ । ଏଚଏମପିଭି ଭଳି ଭାଇରସ୍ ପୂର୍ବରୁ ମଧ୍ୟ ଦେଶରେ ବ୍ୟାପିସାରିଛି । ଏହାର ମୁକାବିଲା ପାଇଁ ଦେଶ ପ୍ରସ୍ତୁତ ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।