ଅଗଷ୍ଟ ୧୭ ତାରିଖରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି ଆଇଏମ୍ଏ
କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା ପରେ ସମଗ୍ର ଦେଶ ଶୋକାକୁଳ ଓ କ୍ରୋଧିତ ରହିଛି। ଏହି ଘଟଣାକୁ ତୀବ୍ର ବିରୋଧ କରି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଅଗଷ୍ଟ ୧୭ ତାରିଖରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି। ତେବେ ଏହି ସମୟରେ ରୋଗୀଙ୍କୁ ଅତ୍ୟାବଶ୍ୟକ ସେବା ମିଳିବା ଜାରି ରହିବ। ଆଇଏମ୍ଏ ଏକ ବିବୃତିରେ କହିଛି ଯେ ଶନିବାର ସକାଳ ୬ଟାରୁ ରବିବାର ସକାଳ ୬ଟା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ବନ୍ଦ ରହିବ। ଏହି ସମୟ ମଧ୍ୟରେ ଜରୁରୀକାଳୀନ ସେବା ଜାରି ରହିବ, କିନ୍ତୁ ଓପିଡି ବନ୍ଦ ରହିବ।୨୦୨୪ ଅଗଷ୍ଟ ୯ ତାରିଖ ସକାଳେ କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ନିର୍ମମ ଭାବେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ଡାକ୍ତରମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଆବାସିକ ଡାକ୍ତରମାନେ ଧର୍ମଘଟରେ ଅଛନ୍ତି। ଆଇଏମଏ ତରଫରୁ ସମଗ୍ର ଦେଶରେ ବିକ୍ଷୋଭ ଓ ମହମବତୀ ଶୋଭାଯାତ୍ରା ମଧ୍ୟ କରାଯାଇଛି । ଏହି ଘଟଣାରେ କଲେଜ ପ୍ରଶାସନ ଅବହେଳା କରିଥିବାରୁ ପ୍ରଥମ ଦିନରୁ ପୁଲିସ ତଦନ୍ତ ଅଟକି ରହିଛି। ‘
କୋଲକାତା ଘଟଣାକୁ ନେଇ ଫେଡେରେସନ ଅଫ୍ ରେସିଡେଣ୍ଟ ଡକ୍ଟରସ ଆସୋସିଏସନ (ଫୋର୍ଡା) ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରିଛି। ସେମାନଙ୍କ ଉପରେ ଆକ୍ରମଣ ରୋକିବା ପାଇଁ ଆଇନ ଆଣିବା ସମେତ ଦାବି ପୂରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୌଖିକ ପ୍ରତିଶ୍ରୁତି ଦେବା ପରେ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିନେଇଥିଲା, କିନ୍ତୁ ଏହାକୁ ଡାକ୍ତରମାନେ ତୀବ୍ର ସମାଲୋଚନା କରିବାରୁ ଫୋର୍ଡା ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଥିଲା। ରେସିଡେଣ୍ଟ ଡାକ୍ତର ସଂଘ (ଆରଡିଏ) ବୁଧବାର ଅଭିଯୋଗ କରିଛି ଯେ ମହାସଂଘ ସେମାନଙ୍କ ସହ ପରାମର୍ଶ ନକରି ଧର୍ମଘଟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଆରଡିଏ ମଧ୍ୟ ଅଭିଯୋଗ କରିଛି ଯେ ଫୋର୍ଡା ଡାକ୍ତରଙ୍କୁ ପିଠିରେ ଛୁରା ମାରୁଛନ୍ତି।କୋଲକାତାର ଏକ ହସ୍ପିଟାଲରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ମହିଳା ଡାକ୍ତରଙ୍କ ଘରକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଅଧିକାରୀମାନେ ଗୁରୁବାର ପହଞ୍ଚିଛନ୍ତି। ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସିବିଆଇ ଅଧିକାରୀମାନେ ମହିଳା ଡାକ୍ତରଙ୍କ ପିତାମାତାଙ୍କ ସହ ଆଲୋଚନା କରିବା ସହ ଏହି ମାମଲାରେ ୫ ଜଣ ଡାକ୍ତରଙ୍କୁ ନୋଟିସ ଜାରି କରିଛନ୍ତି।