
୨୦ ଫେବୃଆରୀ ସକାଳେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ନେବେ ଶପଥ
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ସମୟ ହେଲା ପରିବର୍ତ୍ତନ । ୨୦ ଫେବୃଆରୀ ସକାଳ ୧୧ଟାରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ । ପୂର୍ବରୁ ଶପଥ ଗ୍ରହଣ ସମୟ ଅପରାହ୍ନ ୪.୩୦ ରେ ସ୍ଥିର କରାଯାଇଥିଲା।ସେହିପରି ଶପଥ ଗ୍ରହଣ ସମାରୋହ ପୂର୍ବରୁ ଫେବୃଆରୀ ୧୯ ତାରିଖ ଅପରାହ୍ନ ୩.୩୦ ରେ ବିଜେପି ବିଧାୟକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବା ନେଇ ସୂଚନା ରହିଛି । କୁହାଯାଉଛି ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଚେହେରା ନେଇ ଆଲୋଚନା ହୋଇପାରେ ।ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଫେବୃଆରୀ ୮ ତାରିଖରେ ପ୍ରକାଶ ପାଇଥିଲା । ହେଲେ ଏହାରି ମଧ୍ୟରେ ୧୦ ଦିନ ବିତି ଗଲାଣି ହେଲେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରାଯାଇ ନାହିଁ । ଯାହାକୁ ନେଇ ରାଜନୈତୀକ ମାହୋଲ ବେଶ୍ ସରଗରମ ରହିଛି । ବିରୋଧୀ ଦଳ ଏନେଇ ବିଜେପିକୁ ଟାର୍ଗେଟ୍ ମଧ୍ୟ କରୁଛି ।
ବିଜେପି ସରକାରଙ୍କ ଶପଥ ଗ୍ରହଣ ସମାରୋହ ଦିଲ୍ଲୀ ରାମଲୀଳା ମଇଦାନରେ ଅନୁଷ୍ଠିତ ହେବ। ଏ ନେଇ ପ୍ରସ୍ତୁତି ଜାରି ରହିଛି । ୨୬ ବର୍ଷ ପରେ ଦିଲ୍ଲୀରେ ବିଜେପି କ୍ଷମତାକୁ ଫେରିଛି। ୭୦ଟି ଆସନରୁ ୪୮ଟି ଆସନ ହାତେଇବାରେ ବିଜେପି ସଫଳ ହୋଇଛି । ଏବେ କେବଳ ଅପେକ୍ଷା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନାମ ଘୋଷଣାକୁ ।