
ସେପ୍ଟେମ୍ବର ୧୭ରେ ଦେଶକୁ ‘ଯଶୋଭୂମି’ ସମର୍ପଣ କରିବେ ପ୍ରଧାନମନ୍ତ୍ରୀ
ଦେଶରେ ଅନ୍ତର୍ଜାତୀୟ ସ୍ତରର ବୈଠକ, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆୟୋଜନ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି। ନିକଟରେ ଦିଲ୍ଲୀର ପ୍ରଗତି ମୈଦାନରେ ତିଆରି ‘ଭାରତ ମଣ୍ଡପମ୍’କୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍ ଧରିଥିଲା। ଏଠାରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହୋଇଥିଲା, ଯେଉଁଥିରେ ସାରା ବିଶ୍ୱର ଶୀର୍ଷ ନେତାମାନେ ସାମିଲ ହୋଇଥିଲେ।
ଏହିଭଳି ଦିଲ୍ଲୀର ଦ୍ୱାରକାଠାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ୍ ଆଣ୍ଡ ଏକ୍ସପୋ ସେଣ୍ଟର (ଆଇଆଇସିସି) ମଧ୍ୟ ନିର୍ମାଣ କରାଯାଉଛି, ଯାହାର ନାମ ‘ଯଶୋଭୂମି’ ରଖାଯାଇଛି। ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ।
ସେଣ୍ଟରର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଖାପାଖି ସମ୍ପୂର୍ଣ୍ଣ ହୋଇଯାଇଛି। ଏହି କେନ୍ଦ୍ର ବିଶ୍ୱସ୍ତରୀୟ ସୁବିଧାରେ ପରିପୂର୍ଣ୍ଣ ହେବ। ଯଶୋଭୂମି ପ୍ରସ୍ତୁତ ହେବା ପରେ ବିଶ୍ୱର ସର୍ବବୃହତ MICE (ମିଟିଂ, ଇନସେଣ୍ଟିଭ୍, କନଫରେନ୍ସ ଏବଂ ପ୍ରଦର୍ଶନୀ) ସୁବିଧା ମଧ୍ୟରେ ଏହା ନିଜର ସ୍ଥାନ ସୃଷ୍ଟି କରିବ। ମୋଟ ୮.୯ ଲକ୍ଷ ବର୍ଗ ମିଟର ଅଞ୍ଚଳରେ ଯଶୋଭୂମି ନିର୍ମାଣ କରାଯାଉଛି, ସେଥିମଧ୍ୟରୁ ୧.୮ ଲକ୍ଷ ବର୍ଗ ମିଟରରୁ ଅଧିକ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।
ଯଶୋଭୂମିରେ ଏକ ମୁଖ୍ୟ ଅଡିଟୋରିୟମ୍ ସହିତ ଗ୍ରାଣ୍ଡ୍ ବଲ୍ରୁମ୍, ୧୫ଟି ସମ୍ମିଳନୀ କକ୍ଷ ଏବଂ ୧୩ଟି ବୈଠକ ହଲ୍ ରହିବ। ଏଥିରେ ସମୁଦାୟ ୧୧,୦୦୦ ପ୍ରତିନିଧି ବସିବାର ବ୍ୟବସ୍ଥା ହୋଇଛି। ମୁଖ୍ୟ ଅଡିଟୋରିୟମରେ ଏକକାଳୀନ ୬୦୦୦ ଅତିଥି ବସିବାର କ୍ଷମତା ରହିଛି। ଯଶୋଭୂମିରେ ଏକ ବିରାଟ ପ୍ରଦର୍ଶନୀ ହଲ୍ ମଧ୍ୟ ତିଆରି କରାଯାଇଛି। ଏହା ସହିତ ମିଡିଆ ରୁମ୍, ଭିଭିଆଇପି ଲାଉଞ୍ଜ, ସୂଚନା କେନ୍ଦ୍ର ଏବଂ ଟିକେଟ୍ ସେଣ୍ଟର ଭଳି ସୁବିଧା ବି ଉପଲବ୍ଧ ହେବ।