ଆସନ୍ତାକାଲି ଭାରତର ପ୍ରଥମ ଆଞ୍ଚଳିକ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରସ୍ତୁତ ହୋଇଛି ଦେଶର ପ୍ରଥମ ଆଞ୍ଚଳିକ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ ଅର୍ଥାତ୍‌ ଦିଲ୍ଲୀ-ମେରଠ ଆର୍‌ଆର୍‌ଟିଏସ୍‌। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ। ସେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ଫଟୋ ସେୟାର କରି ପିଏମ୍‌ ମୋଦିଙ୍କୁ ଟ୍ୟାଗ୍‌ କରିଛନ୍ତି।

ଏଥିରେ ସେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫୦ କିମି ଦୂରତାରେ ଥିବା ଅଞ୍ଚଳ ଏବଂ ସହରଗୁଡ଼ିକୁ ଯୋଡ଼ିବା ପାଇଁ ଆର୍‌ଆର୍‌ଟିଏସ୍‌ର ଆଉ ଏକ ଅବଧାରଣାର ଶୁଭାରମ୍ଭ କରୁଛନ୍ତି। ଏହି ଅଗ୍ରଗାମୀ ପଦକ୍ଷେପ ଭାରତରେ ପ୍ରଥମ ଥର ଆରମ୍ଭ କରାଯାଉଛି।

ଦିଲ୍ଲୀ-ମେରଠ ଆର୍‌ଆର୍‌ଟିଏସ୍‌ ହେଉଛି ଦେଶର ପ୍ରଥମ ଆଞ୍ଚଳିକ ଦ୍ରୁତ ଗମନାଗମନ ବ୍ୟବସ୍ଥା। ପ୍ରଧାନମନ୍ତ୍ରୀ ମୋଦି ଅକ୍ଟୋବର ୨୦ରେ ଏହାର ଉଦ୍‌ଘାଟନ କରିବେ। ଉଦ୍‌ଘାଟନ ପରେ ଆରଆରଟିଏସ୍ କରିଡରର ସାହିବାବାଦ-ଦୁହାଇ ଡିପୋ ବିଭାଗ ଅକ୍ଟୋବର ୨୧ରୁ ଯାତ୍ରୀମାନଙ୍କ ପାଇଁ ଖୋଲିବ। ଏଥିପାଇଁ ଏକ ସ୍ମାର୍ଟ RAPIDEX କାର୍ଡ ମଧ୍ୟ ଜାରି କରାଯିବ।

ସାହିବାବାଦ-ଦୁହାଇ ଡିପୋ ମଧ୍ୟରେ ପାଞ୍ଚଟି ଷ୍ଟେସନ୍ ରହିଛି। ସେଗୁଡ଼ିକ ହେଲା, ସାହିବାବାଦ, ଗାଜିଆବାଦ, ଗୁଲଧର, ଦୁହାଇ ଏବଂ ଦୁହାଇ ଡିପୋ।

ଜାତୀୟ ରାଜଧାନୀ କ୍ଷେତ୍ର ପରିବହନ ନିଗମ ଦ୍ୱାରା ଘୋଷିତ ଭଡ଼ା ଅନୁସାରେ, ଯାତ୍ରୀମାନଙ୍କୁ ସାହିବାବାଦରୁ ଦୁହାଇ ଡିପୋ ପର୍ଯ୍ୟନ୍ତ ଷ୍ଟାଣ୍ଡାର୍ଡ କ୍ଲାସ୍‌ ପାଇଁ ୨୦ରୁ ୫୦ ଟଙ୍କା ଦେବାକୁ ପଡିବ। ରାପିଡେକ୍ସ ଟ୍ରେନରେ ପ୍ରିମିୟମ କ୍ଲାସ ପାଇଁ ଭଡା ହେବ ୧୦୦ ଟଙ୍କା।

ଯଦିଓ ୯୦ ସେମିରୁ କମ୍‌ ଉଚ୍ଚତା ବିଶିଷ୍ଟ ପିଲାମାନେ ମାଗଣା ଯାତ୍ରା କରିପାରିବେ। ସାହିବାବାଦରୁ ଦୁହାଇ ଡିପୋ ପର୍ଯ୍ୟନ୍ତ ଦୂରତା ଆଧାରରେ ପ୍ରିମିୟମ୍ କ୍ଲାସ୍‌ର ଟିକେଟ୍ ମୂଲ୍ୟ ୪୦ରୁ ୧୦୦ ଟଙ୍କା ରଖାଯାଇଛି।

Related Articles

Back to top button