ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲା ବ୍ରହ୍ମପୁର ଆଇଟିଆଇ ବିଦ୍ୟାର୍ଥୀଙ୍କ ଦ୍ୱାରା ନିର୍ମିତ ବୃହତ୍ତମ ହକି ଫିଲ୍ଡ ଲୋଗୋ

ବ୍ରହ୍ମପୁର: ୱେଷ୍ଟ ଟୁ ହେଲ୍‌ଥ ଦକ୍ଷତାକୁ ନେଇ ବ୍ରହ୍ମପୁର ଆଇଟିଆଇ ପୁଣି ଏକ ରେକର୍ଡ ହାସଲ କରିଛି। ଆଇଟିଆଇ ବିଦ୍ୟାର୍ଥୀଙ୍କ ଦ୍ୱାରା ନିର୍ମିତ ବୃହତ୍ତମ ହକି ଫିଲ୍ଡ ଲୋଗୋ ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି। ଏହି ଲୋଗୋ ବର୍ତ୍ତମାନ ଆଇଟିଆଇ ସ୍କ୍ରାପ୍‌ ପାର୍କରେ ସ୍ଥାପନ କରାଯାଇଛି। ଏହାକୁ ଦେଖିବା ପାଇଁ ପ୍ରତିଦିନ ସହରବାସୀଙ୍କ ଭିଡ଼ ଜମୁଛି।
ସୂଚନାଯୋଗ୍ୟ, ପୁରୁଷ ବିଶ୍ୱକପ ହକିକୁ ସ୍ବାଗତ ଜଣାଇ ଆଇଟିଆଇ ପକ୍ଷରୁ ଏହି ହକି ଷ୍ଟିକ୍‌ ଲୋଗୋ ନିର୍ମାଣ କରାଯାଇଥିଲା। ଆଇଟିଆଇର ୱେଲ୍‌ଡର, ପେଣ୍ଟର, ଫିଟର ଓ ଇଲେକ୍ଟ୍ରିସିଆନ ବିଦ୍ୟାର୍ଥୀମାନେ ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ଏହାକୁ ନିର୍ମାଣ କରିଥିଲେ। ଏହାର ଉଚ୍ଚତା ୪୩ ଫୁଟ ରହିଥିବା ବେଳେ ଓଜନ ୨ ଟନ୍‌ରୁ ଅଧିକ ରହିଛି। ଏଥିରେ ୩ ଟନ୍‌ର ଅଟୋ ମୋବାଇଲ ସ୍କ୍ରାପ୍‌ ବ୍ୟବହୃତ ହୋଇଛି। ଏହି ଲୋଗୋକୁ ନଗର ଉନୟନ ମନ୍ତ୍ରୀ ଗତ ୧୩ ତାରିଖରେ ଉଦ୍‌ଘାଟନ କରିଥିଲେ। ଏହା ବୃହତ୍ତମ ଲୋଗୋ ବୋଲି ଆଇଟିଆଇ ପକ୍ଷରୁ କୁହାଯିବା ସହ ଏସିଆ ବୁକ୍‌ ଅଫ୍‌ ରେକର୍ଡ ନିମନ୍ତେ ଆବେଦନ କରାଯାଇଥିଲା। ବର୍ତ୍ତମାନ ଏହା ରେକର୍ଡ ହାସଲ କରିଛି। ଏହା ୱେଷ୍ଟ ଟୁ ହେଲ୍‌ଥ ବାର୍ତ୍ତା ଦେବା ସହ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ମଧ୍ୟ ଓଡ଼ିଶାବାସୀଙ୍କୁ ଏକ ସ୍ବତନ୍ତ୍ର ବାର୍ତ୍ତା ପ୍ରଦାନ କରୁଛି ବୋଲି ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ କହିଛନ୍ତି।

Related Articles

Back to top button