ଦିଲ୍ଲୀରେ ବାଣ ବିକ୍ରି ଓ ବାଣ ଫୁଟାଇଲେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସ ପକ୍ଷରୁ ରାଜଧାନୀ ଦିଲ୍ଲୀରେ ବାଣ ବିକ୍ରି ଓ ବାଣ ଫୁଟାଇବା ଉପରେ ରୋକ ଲଗାଇବା ପାଇଁ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । କୋର୍ଟ କହିଛନ୍ତି, ସଂପ୍ରତି ବାଣ ଉପରେ କଟକଣା ଲାଗିଥିଲେ ମଧ୍ୟ ଏହାର ଖୋଲାଖୋଲି ଉଲ୍ଲଂଘନ କରାଯାଉଛି । ଏପରିକି ଦୀପାବଳିର ଅନେକ ଦିନ ପରେ ବି ବାଣ ଫୁଟୁଛି । ସର୍ବୋଚ୍ଚ ନ୍ୟାୟାଳୟ କଡା ଟିପ୍ପଣୀ କରି କହିଛନ୍ତି, କୌଣସି ବି ଧର୍ମ ପ୍ରଦୂଷଣକୁ ପ୍ରୋତ୍ସାହନ ଦିଏ ନାହିଁ ।

ଦିଲ୍ଲୀର ବାର୍ଷିକ ବାୟୁ ଗୁଣବତ୍ତା ସଙ୍କଟ ଉପରେ ଏକ ମାମଲାର ଶୁଣାଣି ସମୟରେ ବିଚାରପତି ଅଭୟ ଏସ ଓକା ଓ ବିଚାରପତି ଅଗଷ୍ଟିନ ଜର୍ଜ ମସିହଙ୍କ ପୀଠ କହିଛନ୍ତି, କୌଣସି ବି ଧର୍ମ ସେହି ଗତିବିଧିକୁ ପ୍ରୋତ୍ସାହନ ଦିଏ ନାହିଁ, ଯାହା ପ୍ରଦୂଷଣକୁ ପ୍ରୋତ୍ସାହନ ଦିଏ । ଯଦି ଏହି ପରି ବାଣ ଫୁଟାଯିବ ତେବେ ଏହା ନାଗରିକଙ୍କ ସ୍ୱାସ୍ଥ୍ୟର ମୌଳିକ ଅଧିକାରକୁ ପ୍ରଭାବିତ କରିବ ।ଅଦାଲତ ବାଣ ଫୁଟାଇବା ଉପରେ କଟକଣାକୁ ନେଇ ଦିଲ୍ଲୀ ପୋଲିସକୁ ତାଗିଦ କରି କହିଛନ୍ତି ଯେ, ଆପଣ ଯେଉଁ ପଦକ୍ଷେପ ନେଇଛନ୍ତି ତାହା କେବଳ ଲୋକ ଦେଖାଣିଆ । ଆପଣ କେବଳ ବାଣର କଞ୍ଚାମାଲ ଜବତ କଲେ । ଯେଉଁ ଭଳି କାର୍ଯ୍ୟାନୁଷ୍ଠାନ ନିଆଯିବା କଥା ଆପଣ ନେଇ ନାହାନ୍ତି । ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସ କମିଶନରଙ୍କୁ ବାଣଫୁଟା ଉପରେ କଟକଣାକୁ ଠିକ୍ ଭାବେ ଲାଗୁ କରିବା ପାଇଁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button