
ଛାଡ଼ପତ୍ର ପରେ ମୁସଲମାନ ମହିଳା ପୂର୍ବସ୍ଵାମୀଙ୍କଠାରୁ ଭରଣପୋଷଣ ଦାବି କରିପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ
ବୁଧବାର ସୁପ୍ରିମକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଛାଡ଼ପତ୍ର ପରେ ମୁସଲମାନ ମହିଳା ପୂର୍ବସ୍ଵାମୀଙ୍କଠାରୁ ଭରଣପୋଷଣ ଦାବି କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସିଆରପିସିର ଧାରା ୧୨୫ ଅନୁସାରେ ମହିଳା କୋର୍ଟରେ ମାମଲା ଦାୟର କରିପାରିବେ ବୋଲି ବିଚାରପତି ବି.ଭି. ନାଗାରତ୍ନ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମାଶିହଙ୍କୁ ନେଇ ଗଠିତ ୨ ଜଣିଆ ଖଣ୍ଡପୀଠ ନିଜ ରାୟରେ ପ୍ରକାଶ କରିଛନ୍ତି।ମିଳିଥିବା ସୂଚନା ଅନୁସାରେ, ତେଲେଙ୍ଗାନା ହାଇକୋର୍ଟ ନିକଟରେ ଜଣେ ମୁସଲମାନ ବ୍ୟକ୍ତିଙ୍କୁ ମଧ୍ୟବର୍ତ୍ତିକାଳୀନ ଭରଣପୋଷଣ ବାବଦରେ ପୂର୍ବ ସ୍ତ୍ରୀଙ୍କୁ ୧୦ ହଜାର ଟଙ୍କା ଦେବା ଲାଗି ନିର୍ଦେଶ ଦେଇଥିଲେ। ବ୍ୟକ୍ତି ଜଣକ ହାଇକୋର୍ଟଙ୍କ ଉକ୍ତ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରିଥିଲେ। ବୁଧବାର ସୁପ୍ରିମକୋର୍ଟଙ୍କ ୨ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ଖଣ୍ଡପୀଠ ହାଇକୋର୍ଟଙ୍କ ରାୟକୁ ସମର୍ଥନ କରିବା ସହିତ ଉପରୋକ୍ତ ରାୟ ଶୁଣାଇଛନ୍ତି। ମହିଳାମାନେ ଯେକୌଣସି ଧର୍ମର ହୁଅନ୍ତୁ ନାଁ କାହିଁକି, ଏହା ସମସ୍ତ ମହିଳାଙ୍କ ଆଇନଗତ ଅଧିକାର ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।