ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପୂର୍ବରୁ ଦିଆଯାଇଥିଲା ଅମାନୁଷିକ ନିର୍ଯାତନା
ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଦେଶବାସୀଙ୍କୁ ବିଚଳିତ କରିଦେଇଛି । କୋଲକତା ଆରଜି କର ମେଡିକାଲ ଓ ହସ୍ପିଟାଲର ଟ୍ରେନି ଡାକ୍ତରଙ୍କୁ ଅମାନୁଷିକ ଭାବେ ହତ୍ୟା କରିବା ପୂର୍ବରୁ ନିର୍ଯାତନା ଦିଆଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଜଣାପଡିଛି । ହତ୍ୟା ପୂର୍ବରୁ ଅଭିଯୁକ୍ତ ଡାକ୍ତରଙ୍କୁ ମାଡ ମାରିଥିଲା । ଏପରିକି ପିଡିତାଙ୍କ ଚଷମା ଭାଙ୍ଗିଯିବା ସହ ଆଖି ଭିତରେ କାଚ ପଶିଯାଇଥିଲା । ଆରଜି କର ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କ ସହ ବର୍ବରତା ମାମଲାରେ ସମଗ୍ର ଦେଶର ଡାକ୍ତର ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ।ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ୩୧ ବର୍ଷୀୟ ପିଜି ଡାକ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ପୂର୍ବରୁ ବିରୋଧ ପାଇଁ ଅମାନୁଷିକ ଭାବେ ମାଡ ମରାୟାଇଥିଲା । ତାଙ୍କୁ ଏଭଳି ଭାବେ ମାଡ ମରାଯାଇଥିଲା ଯେ ପିଡିତାହକ୍ ଶରୀରରେ ଅନେକ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ପିଡିତାଙ୍କ ହାତ ଓ ଚେହେରାରେ କାମୁଡା ଦାଗ ମଧ୍ୟ ରହିଥିଲା । ଅଭିଯୁକ୍ତ ପିଡିତାଙ୍କ ମୁଣ୍ଡକୁ ଏତେ ଜୋରରେ କାନ୍ଥରେ ବାଡେଇ ଦେଇଥିଲା ଯେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।
ମେଡିକାଲ କଲେଜର ସେମିନାର ହଲରେ ଟ୍ରେନି ଡାକ୍ତର ବିଶ୍ରାମ ନେଉଥିବା ସମୟରେ ତାଙ୍କ ସହ ଏଭଳି ଅଘଟଣ ଘଟିଥିଲା । ଏହାପରେ ତାଙ୍କୁ ହତ୍ୟା କରାଯାଇଥିଲା । ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଶୁକ୍ରବାର ଦିନ ଡାକ୍ତରଙ୍କ ମୃତଦେହ ମିଳିଥିଲା । କୋଲକାତା ପୋଲିସ ସଞ୍ଜୟ ରାଏ ନାମକ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ କୋଲକାତା ପୋଲିସ ସହ କାମ କରୁଥିବା ସିଭିକ ଭଲିଣ୍ଟିଅର ଅଟେ ।