ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗଦେବେ ନାହିଁ ଦୁଇ ମୁଖ୍ୟମନ୍ତ୍ରୀ

କଂଗ୍ରେସ ନେତୃତ୍ୱାଧିନ ମେଣ୍ଟ I.N.D.I.A ର ବୁଧବାର ହେବାକୁ ଥିବା ପ୍ରସ୍ତାବିତ ବୈଠକ ବାତିଲ ହୋଇଛି । କଂଗ୍ରେସରୁ ମିଳୁଥିବା ସୂଚନା ଅନୁସାରେ ମେଣ୍ଟର କିଛି ଦଳର ନେତାଙ୍କ ପାଖରେ ଡିସେମ୍ବର ୬ ପର୍ଯ୍ୟନ୍ତ ସମୟର ଅଭାବ ରହିଥିବାରୁ ବୈଠକକୁ ବାତିଲ କରିଦିଆଯାଇଛି । ତେବେ ମେଣ୍ଟର ଅନୌପଚାରିକ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ । ଯେଉଁଥିରେ ଭାଗିଦାର ଦଳଗୁଡିକର ସଂସଦୀୟ ଦଳ ନେତା ସାମିଲ ହେବେ । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ରାଜ୍ୟରେ ବାତ୍ୟ ମୁକାବିଲାରେ ବ୍ୟସ୍ତ ଥିବା କାରଣରୁ ଦିଲ୍ଲୀ ଆସି ପାରିବେ ନାହିଁ ।ସେହିଭଳି ମମତା ବାନାର୍ଜିଙ୍କ ପାରିବାରିକ ବିବାହ ଉତ୍ସବ ପାଇଁ ତାଙ୍କ ପକ୍ଷରେ ଦିଲ୍ଲୀ ଆସିବା ସମ୍ଭବ ନୁହେଁ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଅସୁସ୍ଥତା କାରଣରୁ ଦିଲ୍ଲୀ ଆସିବେ ନାହିଁ ।ତେଣୁ ବୈଠକ ବାତିଲ ହୋଇଥିବା କୁହାଯାଉଛି ।

ତେବେ ୬ ଡିସେମ୍ବର ଦିନ ହେବାକୁ ଥିବା ବୈଠକକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ମେଣ୍ଟରେ ସବୁକିଛି ଠିକ ନଥିବା ସୂଚାଇ ଥିଲା । ମମତା କହିଥିଲେ ଯେ, ବୈଠକ ବାବଦରେ ମୋ ପାଖରେ କୌଣସି ସୂଚନା ନାହିଁ । ରାଜ୍ୟରେ ମୋର ସେହି ଦିନ କିଛି କାର୍ଯ୍ୟକ୍ରମ ରହିଛି । ଯଦି ମୁଁ ଏହି ବୈଠକ ବାବଦରେ ଜାଣିଥାନ୍ତି ତେବେ କାର୍ଯ୍ୟକ୍ରମ ରଖିନଥାନ୍ତି ।

ଅନ୍ଯପକ୍ଷରେ ସମାଜବାଦୀ ପାର୍ଟି ମୁଖପାତ୍ର ରାଜେନ୍ଦ୍ର ଚୌଧୁରୀ ସ୍ପଷ୍ଟ କରିଥିଲେ ଯେ, ଡିସେମ୍ବର ୬ ତାରିଖରେ ହେବାକୁ ଥିବା I.N.D.I.A ବୈଠକରେ ଅଖିଳେଶ ଯୋଗ ଦେବେ ନାହିଁ । ଦଳର ମହାସଚିବ ପ୍ରଫେସର ରାମ ଗୋପାଳ ଯାଦବ କିମ୍ବା ଜାତୀୟ ସଭାପତିଙ୍କ ଦ୍ୱାରା କ୍ଷମତାପ୍ରାପ୍ତ କୌଣସି ନେତା ବୈଠକରେ ଯୋଗ ଦେବେ । ତାଙ୍କ ଦଳକୁ ମଧ୍ୟ ବୈଠକ ବାବଦରେ କୌଣସି ସୂଚନା ଦିଆଯାଇନଥିଲା ବୋଲି ସେ କହିଥିଲେ ।

Related Articles

Back to top button