
ଯଦି ସିନ୍ଧୁ ଜଳ ଚୁକ୍ତିନାମାର ସମାଧାନ ନ ହୁଏ ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗୁ ଅସ୍ତ୍ରବିରତି ବିପଦରେ ପଡିପାରେ ।
ଗତକାଲି ଭାରତ ଓ ପାକିସ୍ତାନର ଡିଜିଏମଓସ୍ତରୀୟ ଆଲୋଚନା ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର ମଙ୍ଗଳବାର ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଭାରତ ବିରୋଧରେ ଆଣବିକ ଅସ୍ତ୍ରଶସ୍ତ୍ରର ପ୍ରୟୋଗ ବିଷୟରେ ବିଚାର କରାଯାଇ ନ ଥିଲା । ଇଶାକ ଡାର ସିଏନଏନ ସହ ଆଲୋଚନା ବେଳେ କହିଛନ୍ତି, ଆମେ ଭାରତ ସହ ସ୍ଥଳ ଓ ଆକାଶ ଉଭୟ ମୋର୍ଚ୍ଚାରେ ମୁକାବିଲା କରିବାକୁ ସକ୍ଷମ । ଆମେ କେବେ ବି ଭାରତ ବିରୋଧରେ ଆଣବିକ ହତିଆର ମୁତୟନ ଉପରେ ବିଚାର କରିନୁ । ଅନେକ ଥର ଏମିତି ଗମ୍ଭୀର ସ୍ଥିତି ଉପୁଜିଥାଏ ଏବଂ ବଡ ନିଷ୍ପତ୍ତି ନେବାକୁ ପଡିଥାଏ । କିନ୍ତୁ ଆମେ ବିନା ପରମାଣୁ ହତିଆରରେ ଭାରତ ସହ ମୁକାବିଲା କରିବାକୁ ପ୍ରସ୍ତୁତ ।
କେବଳ ଏତିକି ନୁହେଁ ଇଶାକ ଡାର ଫମ୍ପା ଧମକ ଦେଇ କହିଛନ୍ତି, ଯଦି ସିନ୍ଧୁ ଜଳ ଚୁକ୍ତିନାମାର ସମାଧାନ ନ ହୁଏ ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗୁ ଅସ୍ତ୍ରବିରତି ବିପଦରେ ପଡିପାରେ । ଭାରତ ଓ ପାକିସ୍ତାନ ମଧ୍ୟରେ ଆଗାମୀ ମିଟିଂରେ ଏହା ଉପରେ ଆଲୋଚନା ହେବା ଉଚିତ୍ । ସେ କହିଛନ୍ତି ଯଦି ସିନ୍ଧୁ ଜଳ ଚୁକ୍ତିନାମା ପ୍ରସଙ୍ଗର ସମାଧାନ ନ ହୁଏ ତେବେ ଏହାକୁ ଯୁଦ୍ଧ ଭାବେ ବିବେଚନା କରାଯିବ । କେବଳ ଏତିକି ନୁହେଁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ କହିଛନ୍ତି, ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଆଞ୍ଚଳିକ ଶାନ୍ତି ପାଇଁ ମହତ୍ୱପୂର୍ଣ୍ଣ । ଯଦି କାଶ୍ମୀର ପ୍ରସଙ୍ଗର ସମାଧାନ ନ ହୁଏ ତେବେ ପୁଣି ସ୍ଥାୟୀ ଶାନ୍ତି ମଧ୍ୟ ମୁସ୍କିଲ ହେବ ।
ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସିନ୍ଧୁ ଜଳ ଚୁକ୍ତିନାମା ବାତିଲ ହେବା ପାକିସ୍ତାନକୁ ବହୁତ ବାଧୁଛି । ଉଲ୍ଲେଖନୀୟ ପହଲଗାମ ଆତଙ୍କୀ ହମଲା ପରେ ଭାରତ ବଡ କାର୍ଯ୍ୟାନୁଷ୍ଠାନ ନେଇ ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିଛି । ତେବେ ଏହାର ବର୍ତ୍ତମାନ ତୃଣମୂଳସ୍ତରରେ ପାକିସ୍ତାନ ଉପରେ ପ୍ରଭାବ ପଡିନାହିଁ । କିନ୍ତୁ ଭାରତ ଯେଉଁଭଳି ଜଳ ବିଦ୍ୟୁତ ପ୍ରକଳ୍ପ ସହ ଅନେକ ଡ୍ୟାମ ନିର୍ମାଣ କରିବାକୁ ଯାଉଛି ସେଥିରେ ପାକିସ୍ତାନର ଚିନ୍ତା ବଢି ଯାଇଛି । ପାକିସ୍ତାନ ଆଶଙ୍କା କରୁଛି ଯେ, ଯଦି ଭାରତ ସିନ୍ଧୁ ନଦୀର ଜଳ ମୋଡିବାରେ ସକ୍ଷମ ହୁଏ ତେବେ ପାକିସ୍ତାନରେ ହାହାକାର ପରିସ୍ଥିତି ଉପୁଜିବ ।