
ଶିବପୁରୀ ଜିଲ୍ଲାରେ ହୀରା, ସୁନା ଓ ଚାନ୍ଦିର ଭଣ୍ଡାର ମିଳିବାର ଆଶଂକା
ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ହୀରା, ସୁନା ଓ ଚାନ୍ଦିର ଭଣ୍ଡାର ମିଳିବାର ଆଶଂକା ସୃଷ୍ଟି ହୋଇଛି । ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆର ସର୍ଭେ ପରେ ଏହା ଖୁଲାସା ହୋଇଛି । ଏପରି ଅନୁସନ୍ଧାନ କେବଳ ଶିବପୁରୀ ପାଇଁ ନୁହେଁ ଏହା ପୂରା ରାଜ୍ୟ ମଧ୍ୟପ୍ରଦେଶର ଅର୍ଥବ୍ୟବସ୍ଥା ପାଇଁ ବଡ ଉପଲବ୍ଧି ସାଜିବ । ସର୍ଭେକ୍ଷଣ ଆଧାରରେ, ଶିବପୁରୀର ଜିଲ୍ଲାରେ ବହୂମୂଲ୍ୟ ଖଣିଜ ସମ୍ପଦର ମିଳିବା ନେଇ ସଂକେତ ମିଳିଛି । ପ୍ରଶାସନ ପକ୍ଷରୁ ପାଖାପାଖି ୬୩୦ ବର୍ଗ କିଲୋମିଟର କ୍ଷେତ୍ର ଚିହ୍ନଟ କରିଛି । ଯେଉଁଥିରେ ୬୦ରୁ ଅଧିକ ଗାଁ ରହିଛି । ଏଠାରୁ ମୂଲ୍ୟବାନ ଖଣିଜ ପଦାର୍ଥ ମିଳିବାର ସଂକେତ ମିଳିବା ପରେ ବିଶେଷଜ୍ଞଙ୍କ ପକ୍ଷରୁ ଅଧ୍ୟୟନକୁ ଆହୁରି ତ୍ୱରାନ୍ୱିତ କରାଯାଇଛି । ଖଣିଜ ବିଭାଗ ଅନୁସାରେ, ୨୦୨୬ରୁ ଏଠାରେ ଖନନ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ଆବଶ୍ୟକୀୟ ଆଇନଗତ ଏବଂ ବୈଷୟିକ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଯଦି ଏହି ଆକଳନ ସଠିକ୍ ପ୍ରମାଣିତ ହୁଏ, ତେବେ ଶିବପୁରୀର ଆର୍ଥିକ ପରିସ୍ଥିତି ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇପାରେ ଏବଂ ଏଠାରେ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ।
ଶିବପୁରୀ ଜିଲ୍ଲା ଅଧିକାରୀ ଏହାକୁ ଐତିହାସିକ ଅବସର ବୋଲି କହିଛନ୍ତି । ଏହାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି, ଖୁବଶୀଘ୍ର ଉଚିତ୍ ପଦକ୍ଷେପ ଉଠାଯିବ ବୋଲି ଜିଲ୍ଲା ଅଧିକାରୀ କହିଛନ୍ତି । ସେପଟେ ନିଜ ଜିଲ୍ଲାରୁ ମୂଲ୍ୟବାନ ଖଣିଜ ପଦାର୍ଥ ଠାବ ହେବା ଏବଂ ଆଗାମୀ ଦିନରେ ରାଜ୍ୟର ଆର୍ଥିକ ସ୍ଥିତି ଉଜ୍ୱଳ ହେବା ଆଶଂକାରେ ସ୍ଥାନୀୟ ଲୋକେ ବେଶ୍ ଉତ୍ସାହିତ ଅଛନ୍ତି । ଯଦି ବାସ୍ତବରେ ଏଠାରୁ ସୁନା, ହୀରା ଭଳି ମୂଲ୍ୟବାନ ଜିନିଷ ବାହାରେ ତେବେ ଶିବପୁରୀରେ ଇଣ୍ଡଷ୍ଟ୍ରି ଗଢିଉଠିବ । ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ମିଳିବ । ଆଉ ଶିବପୁରୀକୁ ସୁନାର ନଗରୀ କୁହାଯିବ ବୋଲି ଲୋକ ମତ ପ୍ରକାଶ କରିଛନ୍ତି ।