ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଲଢେଇ ଲାଗିବ ସାମୟିକ ବିରାମ

ରମଜାନ ଅବସରରେ ଗାଜାକୁ ଫେରିବ ଶାନ୍ତି, ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଲଢେଇ ଲାଗିବ ସାମୟିକ ବିରାମ । ଅକ୍ଟୋବର ୨୦୨୩ରୁ ଚାଲିଥିବା ନରସଂହାର ଉପରେ ରୋକ ଲାଗିବା ନେଇ ଆଶା ବଢିଛି । ଜାତିସଂଘର ସୁରକ୍ଷା ପରିଷଦ ବୈଠକରେ ଦୁଇ ପକ୍ଷଙ୍କ ଭିତରେ ଯୁଦ୍ଧ ବିରାମ ନେଇ ଏକ ପ୍ରସ୍ତାବ ପାରିତ ହୋଇଛି । ୧୫ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ଏହି ପ୍ରସ୍ତାବ ସପକ୍ଷରେ ୧୪ଟି ଭୋଟ ପଡିଥିବା ବେଳେ ଆମେରିକା ଭୋଟିଂ ପ୍ରକ୍ରିୟାରୁ ଦୂରେଇ ରହିଛି । ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଘମାଘୋଟ ଲଢେଇ ଆରମ୍ଭ ହୋଇଥିବା ବେଳେ ଏହାଦ୍ୱାରା ଗାଜା ବାସୀଙ୍କ ଜନଜୀବନ ପ୍ରଭାବିତ ହୋଇଛି । ବର୍ତମାନ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ୩୫ହଜାରରୁ ଅଧିକ ପାଲେଷ୍ଟାନୀୟ ନାଗରିକଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ସମ୍ପୂର୍ଣ୍ଣ ଗାଜା ପଟ୍ଟିରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି କି ଗାଜାରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ଖାଦ୍ୟ, ପାନୀୟ ସମେତ ଚିକିତ୍ସା ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏଭଳି ପରିସ୍ଥିତିରେ ଯୁଦ୍ଧ ପରିସ୍ଥିତିରେ ସୁଧାର ଆଣିବାକୁ ପଦକ୍ଷେପ ନେଇଛି ଜାତିସଂଘ ସୁରକ୍ଷା ପରିଷଦ । ମୁସଲିମ୍ ସମ୍ପ୍ରଦାୟର ଗଣପର୍ବ ରମଜାନ ଅବସରରେ ଗାଜାରେ ସାମୟିକ ଯୁଦ୍ଧ ବିରାମ ପାଇଁ ସୁରକ୍ଷା ପରିଷଦ ବୈଠକରେ ଏକ ପ୍ରସ୍ତାବ ପାରିତ କରାଯାଇଛି । ତେବେ ଏହି ପ୍ରସ୍ତାବରେ ଅକ୍ଟୋବର ୭ରେ ହମାସ ପକ୍ଷରୁ ଇସ୍ରାଏଲ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ନିନ୍ଦା କରାଯାଇନାହିଁ । ଯାହାକୁ ବିରୋଧ କରି ଆମେରିକା ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେବାରୁ ବିରତ ରହିଛି । ସେପଟେ ଇସ୍ରାଏଲ ମଧ୍ୟ ଜାତିସଂଘ ସୁରକ୍ଷା ପରିଷଦର ଏହି ପ୍ରସ୍ତାବରେ ସହମତି ପ୍ରକାଶ କରୁଛି କି ନାହିଁ ତା ଉପରେ ସାରା ବିଶ୍ୱର ନଜର ରହିଛି ।

Related Articles

Back to top button