
ସର୍ବୋଚ୍ଚ ନ୍ୟାୟାଳୟର ୧୩ ଓକିଲ ଯାଞ୍ଚ କରିବେ ଦିଲ୍ଲୀ ପ୍ରଦୂଷଣ
ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଲଗାତାର ଅପଡେଟ୍ ନେଉଛନ୍ତି। ପ୍ରଦୂଷଣ ରୋକିବା ପାଇଁ ସରକାରୀ ପଦକ୍ଷେପ ଉପରେ ମଧ୍ୟ ସୁପ୍ରିମକୋର୍ଟ ନଜର ରଖିଛନ୍ତି। ଅଦାଲତଙ୍କୁ ଏହା କୁହାଯାଇଛି ଯେ ସାମ୍ପ୍ରତିକ ପାଣିପାଗ ଯୋଗୁଁ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ଗତ କିଛି ଦିନ ତୁଳନାରେ ହ୍ରାସ ପାଇଛି, କିନ୍ତୁ ଏକ୍ୟୁଆଇ ଏବେ ବି ଗମ୍ଭୀର ସ୍ତରରେ ରହିଛି। ଶୁକ୍ରବାର ସକାଳ ୫ଟାରେ ଦିଲ୍ଲୀର ଏକ୍ୟୁଆଇ ୩୬୭ ରେକର୍ଡ କରାଯାଇଛି।ଏହା ସ୍ପଷ୍ଟ ଯେ ସୁପ୍ରିମକୋର୍ଟ ଏବଂ ସିଏକ୍ୟୁଏମର ନିର୍ଦ୍ଦେଶ ସତ୍ତ୍ୱେ ଦିଲ୍ଲୀ ପୋଲିସ ଚତୁର୍ଥ ପର୍ଯ୍ୟାୟ ଅଧୀନରେ ଥିବା ଧାରା ପାଳନ କରିବାରେ ବିଫଳ ହୋଇଛି। ୧୩ଟି ପ୍ରବେଶ ପଥରେ ସିସିଟିଭି କ୍ୟାମେରା ଥିବା ସୂଚନା ମିଳିଛି। ଯଥାଶୀଘ୍ର ସିସିଟିଭି ଫୁଟେଜ୍ ଆମିକସଙ୍କୁ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ୧୧୩ଟି ପ୍ରବେଶ ପଥ ମଧ୍ୟରୁ ପ୍ରାୟ ୧୦୦ଟି ପ୍ରବେଶ ପଥ ମାନବବିହୀନ ଅର୍ଥାତ ଟ୍ରକର ପ୍ରବେଶ ଯାଞ୍ଚ କରିବାକୁ କେହି ନାହାନ୍ତି ତେଣୁ ବାରର ସଦସ୍ୟମାନଙ୍କୁ ଯାଇ ସେହି ପଏଣ୍ଟଗୁଡିକ ଯାଞ୍ଚ କରିବାକୁ କୁହାଯାଇଛି।
ଲଗାତାର ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ପୋଲିସକୁ ଅଦାଲତଙ୍କ କଠୋର ମନ୍ତବ୍ୟର ସମ୍ମୁଖୀନ ହେବାକୁ ପଡିଛି। ଶୁକ୍ରବାର କେନ୍ଦ୍ର ସରକାରଙ୍କ ତରଫରୁ ହାଜର ହୋଇଥିବା ଏଏସଜି ଏହି ୧୩ ଜଣଙ୍କ ନାମ ଦିଲ୍ଲୀ କମିଶନରଙ୍କ ନିକଟକୁ ପଠାଇବେ, ଯିଏ ତୁରନ୍ତ ଜଣେ ନୋଡାଲ ଅଫିସର ନିଯୁକ୍ତ କରିବେ ଏବଂ ଏହି ଅଧିକାରୀ ବାରର ଏହି ୧୩ ଜଣ ସଦସ୍ୟଙ୍କ ସହ ଯୋଗାଯୋଗ କରିବେ। ଏହାଦ୍ୱାରା ୧୩ ଜଣିଆ ଦଳ ପ୍ରବେଶ ପଥରେ ଚତୁର୍ଥ ପର୍ଯ୍ୟାୟର ଧାରା ‘ଏ ଏବଂ ବି’ ପାଳନ କରାଯାଉଛି କି ନାହିଁ ତାହା ସୁନିଶ୍ଚିତ କରିବା ସେମାନଙ୍କ କାମ ହେବ। ଆସନ୍ତାକାଲି ସୁଦ୍ଧା ସେମାନେ ଫଟୋ ଉଠାଇ ବିସ୍ତୃତ ରିପୋର୍ଟ ଦାଖଲ କରିପାରିବେ।