ଭାରତ-ବାଂଲାଦେଶ ସୀମାରେ ସ୍ଥିତି ବିଗିଡ଼ିବାର ଆଶଙ୍କା

ବାଂଲାଦେଶରେ ହିଂସା, ବିକ୍ଷୋଭ ଓ ଶତାଧିକଙ୍କ ମୃତ୍ୟୁ ପରେ ଶେଖ ହସିନା ଇସ୍ତଫା ଦେଇ ଭାରତକୁ ପଳାଇ ଆସିଥିଲେ । ଏହା ପରେ ଭାରତ-ବାଂଲାଦେଶ ସୀମାରେ ସ୍ଥିତି ବିଗିଡ଼ିବାର ଆଶଙ୍କା କରାଯାଉଛି । କୌଣସି ବି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବାକୁ ଭାରତ ସରକାର ଆଗୁଆ ସଜାଗ ହୋଇଯାଇଛନ୍ତି । ସୀମାରେ ଅଧିକ ସଂଖ୍ୟକ ବିଏଏସଏଫ ଯବାନଙ୍କୁ ନିୟୋଜିତ କରାଯାଇଛି । ଏହାରି ମଧ୍ୟରେ ସ୍ଥିତି ପରଖିବାକୁ ବିଏସଏଫ ଡିଜି ମଙ୍ଗଳବାର ଦ୍ୱିତୀୟ ଥର ପାଇଁ ସୀମା ଗସ୍ତ କରିଛନ୍ତି । ସେ ପେଟ୍ରାପୋଲ ଏବଂ ପରଗନା ଭଳି ସମ୍ବେଦନଶୀଳ ସ୍ଥାନରେ ସ୍ଥିତି ଅନୁଧ୍ୟାନ କରିବେ ।

ବାଂଲାଦେଶରେ ସ୍ଥିତି ସଙ୍ଗୀନ ହେବା ପରେ ଶରଣାର୍ଥୀମାନେ ସୀମା ଡେଇଁ ଭାରତକୁ ପ୍ରବେଶ କରିବାର ବେଶ ସମ୍ଭାବନା ରହିଛି । ଏହି ସୀମାରେ ଏକ ବଡ଼ ଅଞ୍ଚଳ ଖୋଲା ରହିଛି । ଯେଉଁଠାରେ ନଦୀ, ଝରଣା ଏବଂ ଜଙ୍ଗଲ ରହିଛି । ତେଣୁ ଏହି ସୀମା ସେନା ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି । ବିଏସ୍ଏଫ୍ କହିଛି ଯେ କେବଳ ପଶ୍ଚିମବଙ୍ଗର ୨୨୧୭ କିଲୋମିଟର ସୀମା ନୁହେଁ, ଆସାମର ୨୬୨ କିଲୋମିଟର, ତ୍ରିପୁରାର ୮୫୬ କିଲୋମିଟର ସୀମା, ମିଜୋରାମର ୩୧୮ କିଲୋମିଟର ଏବଂ ମେଘାଳୟର ୪୪୩ କିଲୋମିଟର ସୀମା ବାଂଲାଦେଶ ସହିତ ସଂଯୋଗ କରୁଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିରନ୍ତର ପରିସ୍ଥିତି ଉପରେ ନଜର ରଖିଛି । ସମସ୍ତ ୪୦୯୬ କିଲୋମିଟର ସୀମାରେ ଅତିରିକ୍ତ ସେନା ନିୟୋଜିତ କରାଯାଇ ପାଟ୍ରୋଲିଂ ବୃଦ୍ଧି କରାଯାଇଛି । ସୀମା ପାଟ୍ରୋଲିଂ ବୃଦ୍ଧି ସହିତ ଡ୍ରୋନ୍ ମାଧ୍ୟମରେ ମଧ୍ୟ ତଦାରଖ କରାଯାଉଛି । ଏପଟେ ଭାରତର ଶରଣ ନେଇଥିବା ଶେଖ ହସିନାଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି । ସେ ବର୍ତ୍ତମାନ ସେଫ ହାଉସରେ ଅଛନ୍ତି । ତାଙ୍କର ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି ।

Related Articles

Back to top button