
ଆମେରିକା ଟାରିଫ୍ ଯୁଦ୍ଧର ମୁକାବିଲା ପାଇଁ ପାରମ୍ପରିକ ବନ୍ଧୁରାଷ୍ଟ୍ର ଭାରତ ଓ ରୁଷ୍ ନୂଆ ରଣନୀତି ଆପଣାଉଛନ୍ତି
ଆମେରିକା ଟାରିଫ୍ ଯୁଦ୍ଧର ମୁକାବିଲା ପାଇଁ ପାରମ୍ପରିକ ବନ୍ଧୁରାଷ୍ଟ୍ର ଭାରତ ଓ ରୁଷ୍ ନୂଆ ରଣନୀତି ଆପଣାଉଛନ୍ତି । ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ରୁଷ୍ ଗସ୍ତ ଏହାକୁ ଆହୁରି ସଶକ୍ତ କରିଛି । ସେପଟେ ଭାରତ ପ୍ରତି ରୁକ୍ଷ ନହୋଇ ବନ୍ଧୁତାର ହାତ ବଢ଼ାଇବାକୁ ଆମେରିକାକୁ ପରାମର୍ଶ ଦେଇଛନ୍ତି ଜାତିସଂଘର ପୂର୍ବତନ ମାର୍କିନ ରାଷ୍ଟ୍ରଦୂତ ।ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ମସ୍କୋରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାବ୍ରୋଭଙ୍କୁ ସାକ୍ଷାତ କରିଛନ୍ତି । ଆମେରିକାର ଟାରିଫ୍ ବୋଝ ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ଼ କରିବା ପାଇଁ ଆଲୋଚନା ହୋଇଛି । ବର୍ତ୍ତମାନ ବିଶ୍ୱସ୍ତରରେ ଦେଖାଦେଇଥିବା ସଂକଟ, ବିଶେଷକରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ମୁକାବିଲା ପାଇଁ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଭାରତ ଓ ରୁଷ୍ ସହମତ ହୋଇଛନ୍ତି । ପୂର୍ବରୁ ତୈଳ କାରବାର ଜାରି ରଖିବାକୁ ସହମତି ହୋଇଛି । କେତେକ ରିହାତି ଦେବାକୁ କହିଛି ରୁଷ୍ । ରୁଷ୍ ବୈଦେଶିକ ମନ୍ତ୍ରୀ ସର୍ଗେ ଲାବ୍ରୋଭଙ୍କୁ ସାକ୍ଷାତ କରିବା ପୂର୍ବରୁ ରୁଷ୍ ଉପପ୍ରଧାନମନ୍ତ୍ରୀ ଡେନିସ୍ ମେଣ୍ଟୁରୋଭଙ୍କୁ ଜୟଶଙ୍କର ସାକ୍ଷାତ କରିଥିଲେ । ଏହା ସହିତ ରୁଷ୍ ବ୍ୟବସାୟୀ ଗୋଷ୍ଠୀ ଓ ବିଭିନ୍ନ କମ୍ପାନି ସହ ଆଲୋଚନା କରିଥିଲେ ଜୟଶଙ୍କର । ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ସହିତ ବିଭିନ୍ନ ଦେଶ ସହ ଭାରତ ବାଣିଜ୍ୟ କରିବାକୁ ଚାହୁଛି । ରୁଷ କମ୍ପାନିଙ୍କୁ ଭାରତ ଆମନ୍ତ୍ରଣ କରିଥିଲେ ଜୟଶଙ୍କର ।
ଏପଟେ ରୁଷ୍ ସହ ଭାରତର ସଂପର୍କ ଆହୁରି ସୁଦୃଢ଼ ହେଉଥିବା ବେଳେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ତାଙ୍କ ନିଜ ଦେଶରୁ ଚେତାବନୀ ଓ ପରାମର୍ଶ ଦିଆଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଓ ପରାମର୍ଶ ଦେଇଛନ୍ତି ଜାତିସଂଘର ପୂର୍ବତନ ମାର୍କିନ ରାଷ୍ଟ୍ରଦୂତ ନିକି ହାଲେ । ସେ କହିଛନ୍ତି, ଚୀନ୍ ପରି ଭାରତ ଶତ୍ରୁରାଷ୍ଟ୍ର ନୁହେଁ । ଚୀନ୍କୁ ବାଧା ଦେବାକୁ ଭାରତ ସହ ବନ୍ଧୁତା ବଢ଼ାଇବାକୁ ପଡ଼ିବ । ଟାରିଫ୍ ଘୋଷଣା ପରେ ଆମେରିକା-ଭାରତ ସମ୍ପର୍କ ଭୁଶୁଡ଼ିବାକୁ ଯାଉଛି । ନ୍ୟୁଜୱିକରେ ନିକି ହାଲେ ଲେଖିଛନ୍ତି ଯେ ଚୀନ୍ର ମୁକାବିଲା ପାଇଁ ଆମେରିକା ପାଖରେ ଭାରତ ପରି ଜଣେ ସକ୍ଷମ ବନ୍ଧୁ ରହିବା ଆବଶ୍ୟକ । ନିକି ହାଲେଙ୍କ ମନ୍ତବ୍ୟ ପରେ ଆମେରିକାରେ ଚର୍ଚ୍ଚା ଆରମ୍ଭ ହୋଇଛି ।