ସୁପ୍ରିମକୋର୍ଟରେ ଟ୍ରେନ୍ ଦୁର୍ଘଟଣା ମାମଲା, ‘କବଚ’ ସିଷ୍ଟମ ଶୀଘ୍ର ଲାଗୁ କରିବାକୁ ଉଠିଲା ଦାବି

ନୂଆଦିଲ୍ଲୀ: ବାଲେଶ୍ୱର ଟ୍ରେନ ଦୁର୍ଘଟଣାର ତଦନ୍ତ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ବିଶାଳ ତିୱାରୀ ନାମକ ଜଣେ ଓକିଲ ଏହି ପ୍ରସଙ୍ଗରେ ଏକ ପିଟିସନ ଦାଖଲ କରିଛନ୍ତି । ଏହି ଆବେଦନରେ ଯଥାଶୀଘ୍ର ଦୁର୍ଘଟଣାକୁ ରୋକିବା ପାଇଁ ‘କବଚ’ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରାଯାଇଛି ।

ଏହା ସହିତ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଶନ ଗଠନ କରିବାକୁ ଦାବି ହୋଇଛି । ଏହା ବ୍ୟତୀତ ରେଳ ସୁରକ୍ଷା ସମ୍ପର୍କରେ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ମଧ୍ୟ ଦାବି କରାଯାଇଛି ।

ଟ୍ରେନ୍ ଦୁର୍ଘଟଣାର ତାଜା ଅପଡେଟ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ୧୦୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ସେମାନେ ଚିକିତ୍ସିତ ହେଉଛନ୍ତି । ୧୦୦ ରୁ ଅଧିକ ରୋଗୀ ଗୁରୁତର ଚିକିତ୍ସାର ଆବଶ୍ୟକତା କରୁଛନ୍ତି ଏବଂ ସେମାନଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ, ଲେଡି ହାର୍ଡିଙ୍ଗ ହସ୍ପିଟାଲ ଏବଂ ଆରଏମଏଲ ହସ୍ପିଟାଲର ବିଶେଷଜ୍ଞ ଡାକ୍ତରମାନେ ଆଧୁନିକ ଉପକରଣ ଏବଂ ମେଡିସିନ୍ ନେଇ ଏଠାକୁ ଆସିଛନ୍ତି । ଏକ ବିସ୍ତୃତ ଆଲୋଚନା ହୋଇଥିଲା ଏବଂ ଏକ କାର୍ଯ୍ୟ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଛି ।

ଦୁର୍ଘଟଣାର କାରଣ ସମ୍ପର୍କରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଏହି ଦୁର୍ଘଟଣା ଇଣ୍ଟରଲକିଂରେ ପରିବର୍ତ୍ତନ ହେତୁ ଘଟିଛି । ସେ କହିଛନ୍ତି, ଏହି ଦୁର୍ଘଟଣା ପଛରେ ଦାୟୀ ଲୋକମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି ଏବଂ ଖୁବ ଶୀଘ୍ର ଯାଞ୍ଚ ରିପୋର୍ଟ ପ୍ରକାଶ ପାଇବ । ଏହି ସମୟରେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କବଚ ବିଷୟରେ ଯାହା କହିଛନ୍ତି ତାହା ଠିକ୍ ନୁହେଁ । ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଏହି ଦୁର୍ଘଟଣାର କବଚ ସହ କୌଣସି ସମ୍ପର୍କ ନାହିଁ ।

Related Articles

Back to top button