
ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତକୁ ପୂର୍ଣ୍ଣ ସମର୍ଥନ ଦେବାକୁ ଘୋଷଣା କରିଛି ତ୍ରିନିଦାଦ ଓ ଟୋବାଗୋ
ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ରେ ଭାରତର ସ୍ଥାୟୀ ସଦସ୍ୟତାକୁ ଆଉ ଏକ ଦେଶର ସମର୍ଥନ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯାତ୍ରା ସମୟରେ ତ୍ରିନିଦାଦ ଓ ଟୋବାଟୋ ସରକାର ଏହାର ଘୋଷଣା କରିଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତ୍ରିନିଦାଦ ଓ ଟୋବାଟୋର ପ୍ରଧାନମନ୍ତ୍ରୀ କମଳା ପ୍ରସାଦ ବିସେସର ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଏହି ସମୟରେ ଦୁଇ ଦେଶ ମଧ୍ୟରେ ଆନୁସଙ୍ଗିକ ଭିତ୍ତିଭୂମି ଓ ଔଷଧୀ ସମେତ ଅନେକ କ୍ଷେତ୍ରରେ ସହଯୋଗ ବଢାଇବା ପାଇଁ ଛଅ ରାଜିନାମା ଉପରେ ହସ୍ତାକ୍ଷର ହୋଇଛି । ଦୁଇ ନେତା କୃଷି, ସ୍ୱାସ୍ଥ୍ୟ ସେବା ଓ ଡିଜିଟାଲ୍ ପରିବର୍ତ୍ତନ, ୟୁପିଆଇ, କ୍ଷମତା ନିର୍ମାଣ ଓ ଲୋକଙ୍କ ମଧ୍ୟରେ ସଂପର୍କ କ୍ଷେତ୍ରରେ ଆଲୋଚନା କରିଛନ୍ତି ।
ଶନିବାର ଜାରି ମିଳିତ ବିବୃତିରେ ତ୍ରିନିଦାଦ ଓ ଟୋବାଗୋ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତକୁ ପ୍ରତି ପୂର୍ଣ୍ଣ ସମର୍ଥନ ଦେବାକୁ ଘୋଷଣା କରିଛି । ବୈଶ୍ୱିକ ପ୍ରସଙ୍ଗରେ ବିସ୍ତୃତ ବିଚାର ବିମର୍ଶ କରି ମୋଦୀ ଓ ବିସେସର ମିଳିତ ଜାତିସଂଘରେ ବ୍ୟାପକ ସୁଧାରର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି । ମିଳିତ ବୟାନରେ କୁହାଯାଇଛି ଯେ, ବଢୁଥିବା ଭୂ ରାଜନୈତିକ ଉତ୍ତେଜନା ଓ ବୈଶ୍ୱିକ ସଂଘର୍ଷକୁ ସ୍ୱୀକାର କରି ଦୁଇ ନେତା ଆଲୋଚନା ଓ କୂଟନୀତିକୁ ଆଗକୁ ବଢାଇବା ପାଇଁ ସହମତି ହୋଇଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ପାଞ୍ଚ ଦେଶର ଯାତ୍ରାରେ ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ପୋର୍ଟ ଅଫ ସ୍ପେନ ପହଞ୍ଚିଥିଲେ । ୧୯୯୯ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ତ୍ରିନିଦାଦ ଏବଂ ଟୋବାଗୋର ପ୍ରଥମ ଦ୍ୱିପାକ୍ଷିକ ଯାତ୍ରା । ପ୍ରତିନିଧିମଣ୍ଡଳସ୍ତରୀୟ ଆଲୋଚନାରେ ବିସେସର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତ୍ରିନିଦାଦ ଏବଂ ଟୋବାଗୋର ଐତିହାସିକ ଯାତ୍ରା ଦୁଇ ଦେଶ ମଧ୍ୟରେ ଗଭୀର ଦ୍ୱିପାକ୍ଷିକ ସଂପର୍କକୁ ଦର୍ଶାଉଛି ।