ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗୁରୁବାର ଫ୍ଲୋର ଟେଷ୍ଟ ପୂର୍ବରୁ ସେ ଇସ୍ତଫା ଦେଇଥିବା ଜଣାପଡିଛି। ଗୁରୁବାର ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳ ଘୋଷଣା କରିବା ପରେ ତାହାକୁ ଚ୍ୟାଲେଞ୍ଜ କରି ଏହା ଉପରେ ରୋକ ଲଗାଇବାକୁ ଉଦ୍ଧବ ସେନା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହି ପିଟିଶନକୁ ଖାରଜ କରି ଗୁରୁବାର ଫ୍ଲୋର ଟେଷ୍ଟ ପାଇଁ ନିଷ୍ପତ୍ତି ଶୁଣାଇଥିଲେ।
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ମୁଁ ଆଜି ନିଜ ପଦ ଏବଂ ବିଧାନ ପରିଷଦର ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଉଛି। ଆମର ଭଲ କାର୍ଯ୍ୟଗୁଡ଼ିକ ଉପରେ ନଜର ଲାଗିଯାଇଛି। ଏହି ସମୟରେ ଉଦ୍ଧବ ଠାକରେ ସୋନିଆ ଗାନ୍ଧୀ ଏବଂ ଶରଦ ପାୱାରଙ୍କୁ ପ୍ରଶଂସା କରିଥିଲେ। ସୁପ୍ରିମକୋର୍ଟ ଯାହା ନିଷ୍ପତ୍ତି ଶୁଣାଇଛନ୍ତି, ତାହାକୁ ଆମେ ଗ୍ରହଣ କରୁଛୁ। ରାଜ୍ୟପାଳଙ୍କୁ ମଧ୍ୟ ଧନ୍ୟବାଦ। ଗଣତନ୍ତ୍ରକୁ ଅନୁସରଣ କରିବା ଉଚିତ୍‌।
ବିଦ୍ରୋହୀ ବିଧାୟକଙ୍କୁ ଟାର୍ଗେଟ କରି ଉଦ୍ଧବ କହିଛନ୍ତି, ତୁମର ଅସନ୍ତୋଷ କ’ଣ, ଗୁଆହାଟୀ ଏବଂ ସୁରଟକୁ ଯିବା ପରିବର୍ତ୍ତେ ମୋତେ କୁହ। ମୁଁ ତୁମର ଭାବନାକୁ ସର୍ବଦା ସମ୍ମାନ କରେ । ମୁଁ ଗଣମାଧ୍ୟମରେ କଥାବାର୍ତ୍ତା କରିବି ଏବଂ ତୁମେ ଏହାର ଉତ୍ତର ଦେବ, ଏହାର ଅର୍ଥ କ’ଣ?
କାହା ପାଖରେ କେତେ ସଂଖ୍ୟା ଅଛି ମୁଁ ଜାଣିନାହିଁ। ଆସନ୍ତାକାଲି ହୁଏତ ସେମାନେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଦେବେ। ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିବାରେ କୌଣସି ଦୁଃଖ ନାହିଁ।
ସୂଚନାଯୋଗ୍ୟ,ଶିବସେନାର ୪୦ ଜଣ ବିଧାୟକ ଉଦ୍ଧବ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିବାରୁ ରାଜ୍ୟରେ ରାଜନୀତିକ ସଙ୍କଟ ସୃଷ୍ଟି ହୋଇଛି। ବିଦ୍ରୋହୀଙ୍କୁ ବୁଝାଇବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଦେବେନ୍ଦ୍ର ଫଡନବିସ ଆସ୍ଥା ଭୋଟ ପାଇଁ ଦାବି କରିବାକୁ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିଥିଲେ। ବିଦ୍ରୋହୀ ବିଧାୟକମାନେ ଗୁରୁବାର ମୁମ୍ବାଇ ଫେରି ଫ୍ଲୋର ଟେଷ୍ଟରେ ଭାଗ ନେବେ ବୋଲି ଜଣାପଡିଛି।

Related Articles

Back to top button