
ବୈଶାଖୀ ମେଳା ଦେଖିବାକୁ ଗଲା ବେଳେ ଭାଙ୍ଗିଲା ବ୍ରିଜ, ନଦୀକୁ ଖସି ୨୦ରୁ ଅଧିକ ଆହତ
ଜମ୍ମୁ କଶ୍ମୀରର ଉଧମପୁର ଜିଲ୍ଲାରେ ବୈଶାଖୀ ମେଳା ଅବସରରେ ଏହି ଅଘଟଣ ଘଟିଥିଲା । ଚେନାନୀ ଥାନା ଅଞ୍ଚଳର ବେନୀ ସଙ୍ଗମ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଏହି ମେଳା ଦେଖିବା ପାଇଁ ବହୁସଂଖ୍ୟକ ଜନସମାଗମ ହୋଇଥିଲା । ଲୁହାରେ ନିର୍ମିତ ହୋଇଥିବା ଏହି ନଦୀ ବ୍ରିଜ ବହୁତ ପୁରୁଣା ହୋଇଥିବା ବେଳେ ବ୍ରିଜରେ ବେଳକୁ ବେଳ ଲୋକଙ୍କର ଭିଡ଼ ବଢ଼ିବାରେ ଳାଗିଥିଲା ।
ଅତ୍ୟଧିକ ଭାର ସହ୍ୟ କରିନପାରି ବ୍ରିଜଟି ଅଚାନକ ଭାଙ୍ଗି ଯାଇଥିଲା । ଫଳରେ ବହୁଲୋକ ସିଧା ଯାଇ ନଦୀରେ ପଡ଼ିଥିଲେ । ଖବର ମୁତାବକ, ୨୦ରୁ ଅଧିକ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ରେସକ୍ୟୁ ଅପରେସନ ଜାରି ରହିଛି । ଓଭର ଲୋଡିଂ କାରଣରୁ ଏହି ଅଘଟଣ ଘଟିଥିବା କୁହାଯାଉଛି । ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି । ନଦୀ ବନ୍ଧ ଭାଙ୍ଗିରୁଜି ଯାଇଥିବା ବେଳେ ନଦୀ ମଧ୍ୟରେ ଖସି ପଡ଼ିଥିବା ଲୋକମାନେ ଉଦ୍ଧାର ପାଇଁ ନିବେଦନ କରୁଥିବା ଦେଖାଯାଇଛି । ତେବେ ପୋଲିସ ଓ ଉଦ୍ଧାରକାରୀ ଦଳ ଅପରେସନ ଜାରି ରଖିଛନ୍ତି ।