୧୦ ବର୍ଷ ପୁରୁଣା ଆଧାରକାର୍ଡ ଥିଲେ ଅପଡେଟ କରିବା ପାଇଁ ସୂଚାଇଲା UIDAI
ନୂଆଦିଲ୍ଲୀ: ଆଧାର ସଂସ୍ଥା UIDAI ସମସ୍ତ ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରି କରିଛି। ୧୦ ବର୍ଷ ପୂର୍ବେ ତିଆରି ହୋଇଥିବା ଆଧାରକାର୍ଡ ଅପଡେଟ କରିବାକୁ କୁହାଯାଇଛି । ନାଗରିକମାନେ ବ୍ୟକ୍ତିଗତ ପରିଚୟ ପ୍ରମାଣ, ଠିକଣା ସମ୍ବନ୍ଧୀୟ ଡକ୍ୟୁମେଣ୍ଟ ଅପେଡଟ କରିବାକୁ ପରାମର୍ଶ ଦିଆଯାଇଛି ।
UIDAI କହିଛି, ଯେଉଁ ନାଗରିକମାନେ 10 ବର୍ଷ ପୂର୍ବେ ତିଆରି ହୋଇଥିବା ଆଧାର କାର୍ଡରେ କୌଣସି ପରିବର୍ତ୍ତନ କରିନାହାନ୍ତି, ସେମାନେ ତୁରନ୍ତ ଅପଡେଟ କରନ୍ତୁ । ନିଜର ବ୍ୟକ୍ତିଗତ ତଥ୍ୟ ସହ ସଠିକ ଠିକଣା ପୁନଃ ଅପଡେଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସୁବିଧା ଅନଲାଇନରେ ମଧ୍ୟ ଉପଲବ୍ଧ ହୋଇପାରିବ । ଆଧାରର ସଂଖ୍ୟା ଭାରତୀୟ ନାଗରିକଙ୍କ ପରିଚୟ ପ୍ରମାଣ ଆକାରରେ ଗ୍ରହଣ କରାଯାଏ । ଏପରିକି ବିଭିନ୍ନ ସରକାରୀ ଯୋଜନା ତଥା ସେବା ପାଇବା ପାଇଁ ଆଧାରର ବ୍ୟବହାର କରାଯାଏ । ଏହି ଯୋଜନାକୁ ପାଇବାକୁ ହେଲେ ଲୋକଙ୍କୁ ନିଜ ଆଧାର ତଥ୍ୟକୁ ଅପଡେଟ କରିବାକୁ ହେବ । ଯାହା ଫଳରେ ଆଧାର ପ୍ରମାଣିକିକରଣ ଏବଂ ଯାଞ୍ଚରେ କୌଣସି ଅସୁବିଧା ହେବନାହିଁ ।
ସୂଚନା ଥାଉକି, କେନ୍ଦ୍ର ସରକାରଙ୍କ ଦ୍ବାରା ଜାନୁୟାରୀ 28 ତାରିଖ 2009 ମସିହାରେ UIDAI ବ୍ୟବସ୍ଥା ଆରମ୍ଭ ହୋଇଥିଲା । ସମସ୍ତ ଭାରତୀୟ ନାଗରିକଙ୍କୁ ‘ଆଧାର’ ନାମକ ବିଶିଷ୍ଟ ପରିଚୟ ସଂଖ୍ୟା (UDI) ଜାରି କରାଯାଇଥିଲା । ନକଲି ପରିଚୟ ପତ୍ର ହଟାଇବା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା।