ଖୁବ୍ ଶୀଘ୍ର ଆସିବ ଚାଷୀଙ୍କ ଆକାଉଣ୍ଟକୁ ପିମ୍ କିଷାନ ଟଙ୍କା

କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶୁକ୍ରବାର ବଡ଼ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା (ପିଏମ୍-କିଷାନ)ର ୧୯ତମ କିସ୍ତି ବାବଦରେ ସେ ବିସ୍ତୃତ ସୂଚନା ଦେଇଛନ୍ତି । ଚଳିତ ଥର ୯.୮୦ କୋଟି ଚାଷୀଙ୍କୁ ୨୨ ହଜାର କୋଟି ଟଙ୍କା ମିଳିବ । ପ୍ରଧାନମନ୍ତ୍ରୀ ମୋଦୀ ଫେବ୍ରୁଆରୀ ୨୪ରେ ଭାଗଲପୁରରେ ଏହି କିସ୍ତି ଜାରି କରିବେ । ଏହାସହ କିଷାନ କ୍ରେଡିଟ୍ କାର୍ଡ (କେସିସି)ର ସୀମା ବଢାଇ ୫ ଲକ୍ଷ ଟଙ୍କା କରାଯାଇଛି ବୋଲି ସେ କହିଛନ୍ତି ।ପିଏମ୍-କିଷାନ ଯୋଜନାକୁ ୨୦୧୯ରେ ଆରମ୍ଭ କରାଯାଇଥିଲା । ଏହି ଯୋଜନା ଅଧିନର ଯୋଗ୍ୟ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ତିନୋଟି କିସ୍ତିରେ ଦିଆଯାଏ । ପ୍ରତି ଚାରି ମାସରେ ଥରେ ୨ ହଜାର ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଏ । ପୂର୍ବେ ଏହି ଯୋଜନାରେ ପ୍ରାୟ ୯.୬୦ କୋଟି ଚାଷୀଙ୍କୁ ଲାଭ ମିଳୁଥିଲା । କିନ୍ତୁ ଏବେ ଲାଭାର୍ଥୀଙ୍କ ସଂଖ୍ୟା ବଢି ୯.୮୦ କୋଟି ହୋଇଛି । ଏବେ ସୁଦ୍ଧା ଚାଷୀଙ୍କୁ ଏହି ଯୋଜନାରେ ୩.୪୦ ଲକ୍ଷ କୋଟିରୁ ଅଧିକ ଟଙ୍କା ମିଳିସାରିଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଫେବ୍ରୁଆରୀ ୨୪ରେ ବିହାରର ଭାଗଲପୁରରେ ଏକ ବଡ଼ କାର୍ଯ୍ୟକ୍ରମ ହେବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ, ବିହାର ରାଜ୍ୟପାଳ ମହମ୍ମଦ ଆରିଫ୍ ଖାନ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ରହିବେ । କେବଳ ବିହାର ନୁହେଁ, ସେହି ଦିନ ସାରା ଦେଶର ୭୩୧ କୃଷି ବିଜ୍ଞାନ କେନ୍ଦ୍ରରେ ବି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ବ୍ଲକ୍ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ବି ରାଜ୍ୟ ସରକାର କାର୍ଯ୍ୟକ୍ରମ ଆୟୋଜନ କରିବେ । ସାଂସଦ ଓ ବିଧାୟକ ବି ନିଜ ନିଜ ଅଞ୍ଚଳରୁ ଭର୍ଚୁଆଲ୍ ମୋଡରେ ସାମିଲ ହେବେ । ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଡିଡି କିଷାନ, MyGov, ୟୁଟ୍ୟୁବ, ଫେସବୁକ୍ ଓ ୫ ଲକ୍ଷରୁ ଅଧିକ ସିଏସସିରେ କରାଯିବ ।

Related Articles

Back to top button