
୨୪,୦୦୦ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ପ୍ରସ୍ତାବକୁ ଅନୁମୋଦନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ କୃଷି ଓ ଶକ୍ତି କ୍ଷେତ୍ରରେ ତିନୋଟି ପ୍ରସ୍ତାବ ଅନୁମୋଦନ ହୋଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ରେ କ୍ୟାବିନେଟ୍ ମୋହର ଲାଗିଛି । ଏଥିପାଇଁ ୨୪,୦୦୦ କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ଯୋଜନା କାର୍ୟ୍ୟକାରୀ ହେବା ସହିତ ୬ ବର୍ଷ ପର୍ୟ୍ୟନ୍ତ ଚାଲିବ । ଏହାର ଲକ୍ଷ୍ୟ ଦେଶର ୧୦୦ଟି କୃଷି ଜିଲ୍ଲାକୁ ବିକାଶ କରିବା । ପ୍ରତି ରାଜ୍ୟର ଅତିକମରେ ଗୋଟିଏ ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରାଯିବ । ‘ପ୍ରଧାନମନ୍ତ୍ରୀ ଧନ-ଧନ୍ୟ କୃଷି ଯୋଜନା’ ନୀତି ଆୟୋଗର ଆକାଂକ୍ଷୀ ଜିଲ୍ଲା କାର୍ୟ୍ୟକ୍ରମ ଦ୍ୱାରା ପ୍ରେରିତ ହୋଇଛି । କୃଷି ଉତ୍ପାଦକତା ବୃଦ୍ଧି କରିବା, ଫସଲ ବିବିଧତା, ସ୍ଥାୟୀ କୃଷି ପଦ୍ଧତି ବୃଦ୍ଧି କରିବା, ଅମଳ ପରବର୍ତ୍ତୀ ସଂରକ୍ଷଣକୁ ବୃଦ୍ଧି କରିବା, ଜଳସେଚନ ସୁବିଧାରେ ଉନ୍ନତି ଆଣିବା ଏବଂ ଋଣ ଉପଲବ୍ଧତାକୁ ସହଜ କରିବା ଯୋଜନାର ମୂଳ ଉଦ୍ଦେଶ୍ୟ ଅଟେ । କେନ୍ଦ୍ର ୧୧ଟି ମନ୍ତ୍ରଣାଳୟର ୩୬ ଯୋଜନାର ସହଭାଗିତାରେ ଲାଗୁ କରାଯିବ । ଯେଉଁଥିରେ ରାଜ୍ୟ ସରକାରଙ୍କ ଯୋଜନା ଏବଂ ସହଭାଗିତା ରହିବ । କମ୍ ଉତ୍ପାଦନ, କମ୍ ଫସଲ ଏବଂ କମ ଋଣ ବଣ୍ଟନ ଆଧାରରେ ଜିଲ୍ଲାଗୁଡ଼ିକୁ ଚୟନ କରାଯିବ ।
ଦ୍ୱିତୀୟରେ କ୍ୟାବିନେଟ ଏନଟିପିସି ଲିମିଟେଡକୁ ନବୀକରଣୀୟ ଶକ୍ତି କ୍ଷେତ୍ରରେ ୨୦,୦୦୦ କୋଟି ଟଙ୍କା ପର୍ୟ୍ୟନ୍ତ ନିବେଶ ପ୍ରସ୍ତାବକୁ ମଞ୍ଜୁର କରିଛି । ଯାହା ବର୍ତ୍ତମାନର ସୀମାଠାରୁ ଅଧିକ । ଏହି ନିବେଶ ଏନଟିପିସି ଗ୍ରୀନ୍ ଏନର୍ଜି ଲିମିଟେଡ୍ (ଏନଜିଇଏଲ), ଏହାର ସହାୟକ କମ୍ପାନୀ ଏବଂ ମିଳିତ ଉଦ୍ୟୋଗ ମାଧ୍ୟମରେ କରାଯିବ । ଯାହା ଦ୍ୱାରା ୨୦୩୨ ସୁଦ୍ଧା ୬୦ ଗିଗାୱାଟ ନବୀକରଣୀୟ ଶକ୍ତି କ୍ଷମତା ହାସଲ କରାଯାଇପାରିବ ।ଶେଷରେ ଏନଏଲସିଆଇଏଲ (NLCIL)କୁ ୭,୦୦୦କୋଟି ଟଙ୍କା ନିବେଶ କରିବା ପାଇଁ ଏକ ସ୍ୱତନ୍ତ୍ର ଛାଡ ମଧ୍ୟ ଦିଆଯାଇଛି । ଯାହାକୁ ଏହା ଏହାର ସମ୍ପୂର୍ଣ୍ଣ ମାଲିକାନା ସହାୟକ କମ୍ପାନୀ ଏନଏଲସି ଇଣ୍ଡିଆ ରିନ୍ୟୁଏବଲ୍ସ ଲିମିଟେଡ୍ (NIRL) ମାଧ୍ୟମରେ ନବୀକରଣୀୟ ଶକ୍ତି ପ୍ରକଳ୍ପରେ ନିବେଶ କରିବ। ଏହା କମ୍ପାନୀକୁ କାର୍ଯ୍ୟକ୍ଷମ ଏବଂ ଆର୍ଥିକ ନମନୀୟତା ପ୍ରଦାନ କରିବ ।