
ଜରୁରୀକାଳୀନ ପରିସ୍ଥିତିକୁ ଗଣତନ୍ତ୍ର ଓ ସମ୍ବିଧାନ ହତ୍ୟା ଦର୍ଶାଇ କଡ଼ା ନିନ୍ଦା ସହିତ ପ୍ରସ୍ତାବ ପାରିତ କରାଯାଇଛି
ଦେଶର ଲାଗୁ ହୋଥିବା ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର କ୍ୟାବିନେଟରେ ଏ ସମ୍ପର୍କିତ ପ୍ରସ୍ତାବ ଆଗତ ହୋଇଛି । ଜରୁରୀକାଳୀନ ପରିସ୍ଥିତିକୁ ଗଣତନ୍ତ୍ର ଓ ସମ୍ବିଧାନ ହତ୍ୟା ଦର୍ଶାଇ କଡ଼ା ନିନ୍ଦା ସହିତ ପ୍ରସ୍ତାବ ପାରିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯିବା ସହିତ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରସ୍ତାବ ସମ୍ପର୍କରେ ମନ୍ତ୍ରୀ ମଣ୍ଡଳ ନିଜର ମନ୍ତବ୍ୟ ରଖିଥିଲେ। କେନ୍ଦ୍ର ମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି ଯେ ୨୦୨୫ ସମ୍ବିଧାନ ହତ୍ୟା ଦିବସକୁ ୫୦ ବର୍ଷ ପୂରିଛି । ଜରୁରୀକାଳୀନ ସ୍ଥିତିରେ ଗଣତନ୍ତ୍ରର ମୂଲ୍ୟବୋଧର ହତ୍ୟା କରାଯିବା ସହିତ ସାଧାରଣ ଜନତାଙ୍କ ସାମ୍ବିଧାନିକ ଅଧିକାର ଛଡ଼ାଇ ନିଆଯାଇଥିଲା ।
କେନ୍ଦ୍ର କ୍ୟାବିନେଟ ଏହାର ସଂକଳ୍ପରେ ଦେଶର ଯୁବପିଢ଼ି ଏବଂ ବରିଷ୍ଠ ନାଗରିକମାନଙ୍କୁ ଗଣତନ୍ତ୍ରର ସଂଗ୍ରାମୀ ଏବଂ ସେମାନଙ୍କ ବଳିଦାନରୁ ଶିକ୍ଷା ଗ୍ରହଣ କରିବାକୁ ଆହ୍ୱାନ କରିଛି। ସଂକଳ୍ପରେ କୁହାଯାଇଛି ଯେ ଜରୁରୀକାଳୀନ ପରିସ୍ଥିତିର ସାହସୀ ଯୋଦ୍ଧାମାନେ ଏକଛତ୍ରବାଦୀ ପ୍ରବୃତ୍ତିକୁ ବିରୋଧ କରିଥିଲେ ଏବଂ ଆମର ସମ୍ବିଧାନ ଏବଂ ଗଣତାନ୍ତ୍ରିକ ଭାବନାକୁ ଦୃଢ଼ ଭାବରେ ରକ୍ଷା କରିଥିଲେ । ଗଣତନ୍ତ୍ରର ଜନନୀ ଭାବରେ, ଭାରତ ସାମ୍ବିଧାନିକ ମୂଲ୍ୟବୋଧର ସଂରକ୍ଷଣ, ସୁରକ୍ଷା ଏବଂ ପ୍ରତିରକ୍ଷାର ପ୍ରତିମୂର୍ତ୍ତି ବୋଲି କୁହାଯାଇଛି ।