ମୁମ୍ବାଇର ତାଜ୍ ହୋଟେଲ୍ରେ ହେବ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ
ମୁମ୍ବାଇ: ଆତଙ୍କବାଦକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଦୁଇଟି ବୈଠକ ଆୟୋଜନ କରିବ ଭାରତ। ଚଳିତ ମାସ ଶେଷ ଆଡକୁ ଏହି ବୈଠକ ଅନୁଷ୍ଠିତ ହେବ। ଖାସ୍ କଥା ଏଥିରୁ ଗୋଟିଏ ବୈଠକ ମୁମ୍ବାଇର ସେହି ତାଜ୍ ହୋଟେଲ୍ରେ ହେବ, ଯେଉଁଠି ୨୦୦୮ରେ ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ନିଜ ମୁଖ୍ୟାଳୟ ବାହାରେ ଆୟୋଜିତ ହେବା ବହୁତ ବିରଳ ଘଟଣା। ଭାରତରେ ନୂଆଦିଲ୍ଲୀ ଏବଂ ମୁମ୍ବାଇରେ ଏହି ଦୁଇ ବୈଠକ ଆୟୋଜିତ ହେବ।
୨୦୧୫ ପରେ ପ୍ରଥମ ଥର ନ୍ୟୁୟର୍କ ବାହାରେ ୟୁଏନଏସସିର ପ୍ରଥମ ବୈଠକ ହେବାକୁ ଯାଉଛି। ମିଳିତ ଜାତସଂଘର ଆତଙ୍କ ନିରୋଧୀ କମିଟିରେ ୧୫ ସ୍ଥାୟୀ ଏବଂ ଅସ୍ଥାୟୀ ସଦସ୍ୟ ଅଛନ୍ତି। ୨୦୨୨ରେ ଭାରତ ଏହି କମିଟିର ଅଧ୍ୟକ୍ଷତା କରୁଛି। ଆତଙ୍କବାଦ ବିରୋଧରେ ଭାରତର ପଦକ୍ଷେପକୁ ଦୃଷ୍ଟିରେ ରଖି ୟୁଏନଏସସି ନିଜର ବୈଠକ ଭାରତରେ କରିବାକୁ ନିଷ୍ପତ୍ତି ନେଇଛି।
ବୈଠକର ଅଧିକାଂଶ ଔପଚାରିକତା ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ପୂରା କରାଯିବ। ବୈଠକରେ ସମସ୍ତ ୧୫ ସଦସ୍ୟ ଦେଶ ଯୋଗ ଦେବେ। ସୂଚନାଯୋଗ୍ୟ, ୨୦୦୮ରେ ଘଟିଥିବା ଆତଙ୍କୀ ଆକ୍ରମଣରେ ୧୬୬ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏଥିପାଇଁ ବୈଠକରୁ ପାକିସ୍ତାନକୁ ବହୁତ ବଡ ସନ୍ଦେଶ ମିଳିବ। ଏପରିକି ବୈଠକରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇପାରେ। ମୃତକଙ୍କ ମଧ୍ୟରେ ୩୦ ଜଣ ବିଦେଶୀ ଥିଲେ। ବୈଠକ ଜରିଆରେ ୟୁଏନଏସସିର ସ୍ଥାୟୀ ସଦସ୍ୟ ଚୀନକୁ ବି ଦୃଢ ସନ୍ଦେଶ ଦିଆଯାଇପାରେ।