ୱାକଫ ସଂଶୋଧନ ବିଲ୍ ଉପରେ ସଂସଦୀୟ କମିଟି ବୈଠକରେ ପ୍ରବଳ ହଟ୍ଟଗୋଳ : ୧୦ ଜଣ ସାଂସଦଙ୍କୁ ସଦସ୍ୟତାରୁ ନିଲମ୍ବିତ

ଶୁକ୍ରବାର ଦିନ ୱାକଫ ସଂଶୋଧନ ବିଲ୍ ଉପରେ ସଂସଦୀୟ କମିଟି ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ହଟ୍ଟଗୋଳ ଥମି ନଥିବା ଦେଖି କମିଟିର ୧୦ ଜଣ ସାଂସଦଙ୍କୁ ପୂରା ଦିନ ପାଇଁ କମିଟିର ସଦସ୍ୟତାରୁ ନିଲମ୍ବିତ କରାଯାଇଛି। ବୈଠକ ପୂର୍ବରୁ ବିରୋଧୀ ସଦସ୍ୟମାନେ ଦାବି କରିଥିଲେ ଯେ ଡ୍ରାଫ୍ଟ ଆଇନରେ ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକୁ ଅଧ୍ୟୟନ କରିବା ପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଉନାହିଁ। ଆଜି ବିଜେପି ସାଂସଦ ଜଗଦମ୍ବିକା ପାଲଙ୍କ ନେତୃତ୍ୱାଧୀନ ଜେପିସି କାଶ୍ମୀରର ମୀରୱାଇଜ୍ ଉମର ଫାରୁକଙ୍କ ନେତୃତ୍ୱାଧୀନ ପ୍ରତିନିଧିମଣ୍ଡଳୀଙ୍କ ମତ ଶୁଣିବାର ଥିଲା।

ବୈଠକରେ ହଟ୍ଟଗୋଳ ପରେ ୱାକଫ ସଂଶୋଧନ ବିଲ୍ ୨୦୨୪ ଉପରେ ମିଳିତ ସଂସଦୀୟ କମିଟି ବୈଠକରୁ ସମସ୍ତ ୧୦ ଜଣ ବିରୋଧୀ ସାଂସଦଙ୍କୁ ଦିନକ ପାଇଁ ନିଲମ୍ବିତ କରାଯାଇଥିଲା। ନିଲମ୍ବିତ ବିରୋଧୀ ସାଂସଦମାନଙ୍କ ମଧ୍ୟରେ କଲ୍ୟାଣ ବାନାର୍ଜୀ, ମହମ୍ମଦ ଜାଭେଦ, ଏ ରାଜା, ଅସଦୁଦ୍ଦିନ ଓୱେସି, ନାସିର ହୁସେନ, ମୋହିବୁଲ୍ଲା, ଏମ୍ ଅବଦୁଲ୍ଲା, ଅରବିନ୍ଦ ସାୱନ୍ତ, ନଦୀମୁଲ ହକ୍, ଇମ୍ରାନ ମାସୁଦ ସାମିଲ ଅଛନ୍ତି।ଭାରତୀୟ ଜନତା ପାର୍ଟିର ସାଂସଦ ନିଶିକାନ୍ତ ଦୁବେ ବିରୋଧୀ ସଦସ୍ୟମାନଙ୍କୁ ନିଲମ୍ବନ କରିବା ପାଇଁ ଏକ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ କମିଟି ଦ୍ୱାରା ଗ୍ରହଣ କରାଯାଇଥିଲା। ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଦାବି କରିଛନ୍ତି ଯେ ବିରୋଧୀ ସଦସ୍ୟମାନେ ବୈଠକ ସମୟରେ ଲଗାତାର ହଟ୍ଟଗୋଳ ସୃଷ୍ଟି କରିବା ଏବଂ ଅଣସଂସଦୀୟ ଭାଷା ବ୍ୟବହାର କରିବା ଯୋଗୁଁ ସେମାନଙ୍କ ଆଚରଣ ଲଜ୍ଜାଜନକ ।ମୀରୱାଇଜଙ୍କୁ ଡାକିବା ପୂର୍ବରୁ କମିଟି ସଦସ୍ୟମାନେ ନିଜ ନିଜ ମଧ୍ୟରେ ଆଲୋଚନା କରିଥିଲେ ଏବଂ ଏହି ସମୟରେ ବିରୋଧୀ ନେତାମାନଙ୍କ ସହ ବୈଠକରେ ହଙ୍ଗାମା ହୋଇଥିଲା। ବିରୋଧୀ ସଦସ୍ୟମାନେ ଦାବି କରିଥିଲେ ଯେ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ବିଜେପି ୱାକଫ ସଂଶୋଧନ ବିଲ୍ ଉପରେ ରିପୋର୍ଟକୁ ଶୀଘ୍ର ସ୍ୱିକାର କରିବା ପାଇଁ ଜିଦ୍ ଧରିଛି। ବୈଠକ ସମୟରେ ପ୍ରବଳ ବିତର୍କ ଯୋଗୁଁ କାର୍ଯ୍ୟକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା। କମିଟିର ବୈଠକ ପୁନରାରମ୍ଭ ହେବା ପରେ ମିରୱାଇଜଙ୍କ ନେତୃତ୍ୱରେ ପ୍ରତିନିଧି ଦଳ କମିଟି ସମ୍ମୁଖରେ ହାଜର ହୋଇଥିଲେ।

ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ଏବଂ କଂଗ୍ରେସର ସୟଦ ନାସିର ହୁସେନ ବୈଠକ ଛାଡି ଚାଲିଯାଇଥିଲେ। ସେ କହିଛନ୍ତି ଯେ କମିଟିର କାର୍ଯ୍ୟପ୍ରଣାଳୀ ଏକ ପ୍ରହସନ ପାଲଟିଛି। ସେ ଦାବି କରିଥିଲେ ଯେ ପ୍ରସ୍ତାବିତ ସଂଶୋଧନଗୁଡ଼ିକ ଉପରେ ଧାରା ଅନୁଯାୟୀ ବିଚାର କରିବା ପାଇଁ ଜାନୁଆରୀ ୨୭ ରେ ହେବାକୁ ଥିବା ବୈଠକକୁ ଜାନୁଆରୀ ୩୦ କିମ୍ବା ଜାନୁଆରୀ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଉ। ବିରୋଧୀ ସଦସ୍ୟମାନଙ୍କୁ ସମାଲୋଚନା କରି ନିଶିକାନ୍ତ ଦୁବେ କହିଥିଲେ ଯେ ସେମାନଙ୍କର ଆଚରଣ ସଂସଦୀୟ ପରମ୍ପରା ବିରୁଦ୍ଧ ଏବଂ ସେମାନେ ସଂଖ୍ୟାଗରିଷ୍ଠଙ୍କ ସ୍ୱରକୁ ଦମନ କରିବାକୁ ଚେଷ୍ଟା କରୁଛନ୍ତି।

Related Articles

Back to top button