କାଉଡ଼ିଆ ଯାତ୍ରୀଙ୍କ ପାଇଁ ବଡ଼ ପଦକ୍ଷେପ ନେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ଶ୍ରାବଣ ମାସରେ ଶିବ ଭକ୍ତଙ୍କ ପାଇଁ କାଉଡ଼ିଆ ଯାତ୍ରା ଅନେକ ଗୁରୁତ୍ୱ ବହନ କରେ । ଏଥିପାଇଁ ବିଭିନ୍ନ ପ୍ରାନ୍ତରେ ଥିବା କାଉଡ଼ିଆଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥାଏ । ଏଥିମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାଉଡ଼ିଆ ଯାତ୍ରୀଙ୍କ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ କାଉଡ଼ିଆ ଯାତ୍ରୀଙ୍କ ମାର୍ଗରେ ଥିବା ସମସ୍ତ ଭୋଜନାଳୟରେ ଦୋକାନ ମାଲିକ ନିଜ ନାଁ ଥିବା ନେମ୍ ପ୍ଲେଟ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ । ଅପରପକ୍ଷରେ ଏହି ପ୍ରସଙ୍ଗକୁ ନେଇ ୟୁପିରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି ।ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା କାଉଡ଼ିଆଙ୍କ ପାଇଁ ଜାରି କରାଯାଇଥିବା ଏହି ନର୍ଦ୍ଦେଶନାମା ଅନୁଯାୟୀ କାଉଡ଼ିଆଙ୍କ ରୁଟରେ ଥିବା ପ୍ରତ୍ୟେକ ଭୋଜନାଳୟ ସାମ୍ନାରେ ଦୋକାନ ମାଲିକ କିମ୍ବା ସେଠାରେ କାମ କରୁଥିବା ବ୍ୟକ୍ତି ନିଜ ନାଁର ନେମ୍ ପ୍ଲେଟ୍ ଲଗାଇବା ଉଚିତ । ଏହା ଦ୍ୱାରା କାଉଡ଼ିଆଙ୍କୁ କୌଣସି ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ । କଉଡ଼ିଆ ତୀର୍ଥଯାତ୍ରୀଙ୍କ ପବିତ୍ରତା ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି । ହରିଦ୍ୱାରର ବରିଷ୍ଠ ପୋଲିସ ଅଧୀକ୍ଷକ ପ୍ରମୋଦ ସିଂ ଡୋବାଲ ଗଣମାଧ୍ୟମକୁ କହିଛନ୍ତି ‘ହୋଟେଲ, ଢାବା କିମ୍ବା ଷ୍ଟ୍ରିଟ୍ ଫୁଡ୍ ଷ୍ଟଲ୍ ଚଳାଉଥିବା ସମସ୍ତଙ୍କୁ ସେମାନଙ୍କ ପ୍ରତିଷ୍ଠାନରେ ମାଲିକଙ୍କ ନାମ, କ୍ୟୁଆର୍ କୋଡ୍ ଏବଂ ମୋବାଇଲ୍ ନମ୍ବର ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାଳନ କରିବାରେ ବିଫଳ ହେଲେ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ଏବଂ କାଉଡ଼ିଆ ମାର୍ଗରୁ ସେମାନଙ୍କୁ ହଟାଇ ଦିଆଯିବ ।
ଜେଡିୟୁ ନେତା କେ.ସି ତ୍ୟାଗି କହିଛନ୍ତି, ‘ଜଣା ନାହିଁ କେଉଁ ପରିସ୍ଥିତିରେ ମୁଜ୍ଜାଫର ନଗର ପ୍ରଶାସନ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି । ମୁସଲିମ ବହୁଳ ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସାର କୌଣସି ଇତିହାସ ନାହିଁ । ତେଣୁ ଜିଲ୍ଲା ପ୍ରଶାସନ ନିଜ ଆଦେଶର ସମୀକ୍ଷା କରନ୍ତୁ ଏବଂ ୟୁପିର ଅନ୍ୟ ଜିଲ୍ଲାରେ ଏହାକୁ ଲାଗୁ କରନ୍ତୁ ନାହିଁ ।’ ସେହିପରି ଦାରୁଲ ଉଲୁମ ପ୍ରବକ୍ତା ମୌଲାନା ସୁଫିୟାନ୍ ନିଜାମୀ କହିଛନ୍ତି, ‘ଧର୍ମ ନାଁରେ ଆପତ୍ତି କରିବା ଭୁଲ କଥା । ଦୋକାନ କେଉଁ ଧର୍ମର ଜଣାଇବା ଜରୁରୀ କି? କୌଣସି ଧର୍ମ ଅନ୍ୟ ଧର୍ମ ସହ ଭେଦଭାବ କରିନଥାଏ । ଏହି ମାମଲାରେ ରାଜନୀତିକରଣ ଠାରୁ ଅଧିକା ଗରୁତ୍ୱ ଧର୍ମ ନାଁରେ ବିଭାଜନ ନ ହେଉ ଏବଂ ଭାଇଚାରା ବଜାୟ ରହୁ ।’