
୨୦୦୦ ଟଙ୍କିଆ ନୋଟ୍ ପରେ ପ୍ରତ୍ୟାହର ହେବ କି ୫୦୦ ଟଙ୍କିଆ ନୋଟ୍
ଭୁବନେଶ୍ଵର: ୫୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କିମ୍ବା ୧୦୦୦ ଟଙ୍କିଆ ନୋଟ୍ ପୁନଃପ୍ରଚଳନ କରିବାର ଯୋଜନା ନ ଥିବାରୁ ସେ ବିଷୟରେ କୌଣସି ଗୁଜବ କରନ୍ତୁ ନାହିଁ । ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା କହିଛନ୍ତି । ୨୦୨୪ ଆର୍ଥିକ ବର୍ଷର ଦ୍ୱିତୀୟ ଦ୍ୱିମାସିକ ‘ମନିଟାରି ପଲିସି’ ଉନ୍ମୋଚନ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶକ୍ତିକାନ୍ତ ଦାସ କହିଛନ୍ତି, ୫୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କିମ୍ବା ୧୦୦୦ ଟଙ୍କିଆ ନୋଟ୍ ପୁନଃପ୍ରଚଳନ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଚିନ୍ତା କରୁନାହିଁ । ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହୃତ ହେବା ପରେ ଅନ୍ୟାନ୍ୟ ନୋଟ୍ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ଚାଲିଥିବା କଳ୍ପନାଜଳ୍ପନା ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ କଥା କହିଛନ୍ତି । ସେ କହିଛନ୍ତି, ପ୍ରତ୍ୟାହାର ହୋଇଥିବା ୨୦୦୦ ଟଙ୍କିଆ ନୋଟ୍ରୁ ପ୍ରାୟ ୫୦% ଫେରିଆସିଛି । ଫେରି ଆସିଥିବା ସମୁଦାୟ ଟଙ୍କାର ମୂଲ୍ୟ ହେଉଛି ୧.୮୨ ଲକ୍ଷ କୋଟି ଟଙ୍କା ।
ସବିଶେଷ ବିବରଣୀ ଦେଇ ସେ କହିଛନ୍ତି, ସମୁଦାୟ ୩.୬୨ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ପ୍ରସାରଣରେ ଥିଲା । ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରାଯିବା ପରେ ପ୍ରାୟ ୧.୮ ଲକ୍ଷ କୋଟି ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍ ଫେରସ୍ତ ଆସିଛି । ଏହା ହେଉଛି ପ୍ରସାରଣରେ ଥିବା ସମୁଦାୟ ୨୦୦୦ ଟଙ୍କିଆ ନୋଟ୍ର ପ୍ରାୟ ୫୦% । ଏଥିରୁ ୮୫% ବ୍ୟାଙ୍କ୍ ଜମା ଭାବେ ଆସିଥିବା ବେଳେ ବାକି ମୁଦ୍ରା ବିନିମୟ ଭାବେ ଆସିଛି ।