୧୫ ଦିନ ହେଇଗଲା ଉତରକାଶୀ ଟନେଲରେ ଫଶିଛନ୍ତି ଶ୍ରମିକ : ଉଦ୍ଧାର ପାଇଁ ଜାରି ରହିଛି ଉଦ୍ୟମ
ଆଜିକୁ ପନ୍ଦର ଦିନ ହେଇଗଲା ଉତରକାଶୀ ଟନେଲରେ ଫଶିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ଜାରି ରହିଛି ଉଦ୍ୟମ । ଅଧାରେ ଅଟକି ରହିଛି ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲ୍ ଅପରେସନ୍ । ଭର୍ଟିକାଲ ଡ୍ରିଲିଂ କରି ଶ୍ରମିକଙ୍କ ଉଦ୍ଧାର କରିବାକୁ ପୁଣି କାମ ଆରମ୍ଭ ହୋଇଛି । ଶନିବାର ଖନନ ସମୟରେ ଆମେରିକାରୁ ଆସିଥିବା ଅଗର ମେସିନର ବ୍ଲେଡ ଭାଂଗିଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ତେବେ ସୁଡ଼ଙ୍ଗରେ ଥିବା ସମସ୍ତ ଶ୍ରମିକ ସୁସ୍ଥ ଥିବା ସୂଚନା ମିଳିଛି । ୪୧ ଜଣ ଶ୍ରମିକ ଟନେଲ ଭିତରୁ କେବେ ବାହାରିବେ ଦିନ ଗଣୁଥିବା ବେଳେ, ଉଦ୍ଧାର କାର୍ଯ୍ୟର ଶେଷ ପର୍ଯ୍ୟାୟରେ ଅଗର୍ ମେସିନ୍ ଫେଲ ମାରିଛି ।
ତେବେ ଅଗର ମେସିନ ଫେଲ ମାରିବା ପରେ ଏବେ ପାହାଡ଼ର ଉପର ପଟୁ ଡ୍ରିଲିଂ କରି ଉଦ୍ଧାର ପାଇଁ ବିକଳ୍ପ ପନ୍ଥା ବାଛିଛି ଉଦ୍ଧାରକାରୀ ଦଳ । ଭର୍ଟିକାଲ ଡ୍ରିଲିଂ ମେସିନ ପହଂଚିବା ପରେ ଡ୍ରିଲିଂ ଆରମ୍ଭ ହୋଇଛି । ତେବେ ହାତରେ ପାହାଡ କାଟିବା ଉପରେ ବି ଗୁରୁତ୍ୱ ଦେଉଛି ଉଦ୍ଧାରକାରୀ ଦଳ । ସେପଟେ ଉଦ୍ଧାର କାମରେ ଲାଗିଥିବା ଅଷ୍ଟ୍ରେଲିଆର ବିଶେଷଜ୍ଞ ଆର୍ଣ୍ଣୋଲ୍ଡ ଡିସ୍କ କହିଛନ୍ତି, ବଡ ଦିନ ସମସ୍ତ ଶ୍ରମିକ ନିଜ ଘରେ ପାଳନ କରିବେ । ଶନିବାର ଅଗର ମେସିନ ୪୮ ମିଟର ଡ୍ରିଲିଂ କରିବା ପରେ ଶୀଘ୍ର ଉଦ୍ଧାର ଆଶା ଦେଖା ଦେଇଥିଲା ହେଲେ ଭୁଶୁଡି ପଡିଥିବା ଲୁହାଛଡ ଓ କଂକ୍ରିଟରେ ଫସି ଅଗର ମେସିନର ବ୍ଲେଡ ଭାଙ୍ଗିଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ସେପଟେ ଟନେଲରେ ପ୍ଲାଜମା ମେସିନ ପହଞ୍ଚିବା ପରେ ପୁଣି କାର୍ଯ୍ୟ ଆରମ୍ଭ ହୋଇଛି ।