
ମୃତ୍ୟୁର କୁମ୍ଭରେ ପରିଣତ ହୋଇଛି ମହାକୁମ୍ଭ : ମମତା ବାନାର୍ଜୀ
ମହାକୁମ୍ଭ ଆଉ ମହାକୁମ୍ଭ ହୋଇକି ନାହିଁ। ଏହାକୁ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ମୃତ୍ୟୁର କୁମ୍ଭରେ ପରିଣତ କରିସାରିଛନ୍ତି। ମଙ୍ଗଳବାର ଏପରି କହି ପଶ୍ଚିମବଙ୍ଗ ବିଧାନସଭାରେ ଯୋଗୀ ଆଦିତ୍ୟନାଥଙ୍କ ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।ମଙ୍ଗଳବାର ପଶ୍ଚିମବଙ୍ଗ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ‘ମହାକୁମ୍ଭ ଆଉ ମହାକୁମ୍ଭ ହୋଇକି ନାହିଁ। ଏହାକୁ ମୃତ୍ୟୁର କୁମ୍ଭ କରିଦିଆଯାଇଛି। ମୁଁ ମହାକୁମ୍ଭକୁ ସମ୍ମାନ କରେ, ମୁଁ ପବିତ୍ର ମାତା ଗଙ୍ଗାଙ୍କୁ ସମ୍ମାନ କରେ।’ କିନ୍ତୁ ଏଥିପାଇଁ କୌଣସି ଯୋଜନା ନାହିଁ। ଭିଆଇପି ମାନଙ୍କ ପାଇଁ କୁମ୍ଭମେଳାରେ କୌଣସି ଅସୁବିଧା ନଥିବା ବେଳେ ସାଧାରଣ ଲୋକେ କେବେ କୁମ୍ଭରେ ପହଞ୍ଚି ଭିଡରେ ମରୁଛନ୍ତି ତ କେବେ ପୁଣି କୁମ୍ଭକୁ ଯିବା ପାଇଁ ରେଳ ଷ୍ଟେସନରେ ଦଳାଚକଟା ହୋଇ ମୃତ୍ୟୁବରଣ କରୁଛନ୍ତି । ଏତେ ବଡ ଆୟୋଜନ, କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ସରକାର ଓ ସରକାରଙ୍କ ଦ୍ୱାରା ପରିଚାଳିତ ପ୍ରଶାସନର ବିଫଳତା ଯୋଗୁଁ ଏତେ ଲୋକଙ୍କର ଜୀବନ ଗଲା । ମାତ୍ର ଏନେଇ ସରକାର ଦୁଃଖ ପ୍ରକାଶ କରିବା ପରିବେର୍ତ୍ତ ପ୍ରଚାର କରିବାରେ ଲାଗିଛନ୍ତି ।
ମମତା ଆହୁରି ମଧ୍ୟ କହିଛନ୍ତି ମହାକୁମ୍ଭରେ ଘଟିଥିବା ଦଳାଚକଟାରେ କେତେ ମୃତଦେହ ଉଦ୍ଧାର କରାଯାଇଛି ତାହା ମଧ୍ୟ ଲୁଚା ଯାଉଛି। ଧନୀ ଏବଂ ଭିଆଇପି ଲୋକଙ୍କ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିବିର ପାଇବାର ବ୍ୟବସ୍ଥା ଅଛି। କୁମ୍ଭରେ ଗରିବ ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ମେଳାରେ ଦଳାଚକଟା ପରିସ୍ଥିତି ସାଧାରଣ, ଏଥିପାଇଁ ବ୍ୟବସ୍ଥା କରିବା ଆବଶ୍ୟକ। କିନ୍ତୁ ଉତ୍ତର ପ୍ରଦେଶ ସରକାର କେବଳ ପ୍ରଚାର କରିବାରେ ଲାଗିଥିବା ବେଳେ ଲୋକଙ୍କ ପାଇଁ ଉଚିତ ବ୍ୟବସ୍ଥା କରିନାହିଁ।ସେପଟେ ମମତା ବାନାର୍ଜୀଙ୍କ ମୃତ୍ୟୁର କୁମ୍ଭ ବୟାନକୁ ନେଇ ବିଜେପି କଡା ବିରୋଧ କରିଛି। ମମତା ବାନାର୍ଜୀଙ୍କ ବୟାନ ଉପରେ ଅସନ୍ତୋଷ ପ୍ରକାଶ କରି ବିଜେପି କହିଛନ୍ତି ମମତା କେବଳ ହିନ୍ଦୁମାନଙ୍କୁ ଟାର୍ଗେଟ କରନ୍ତି। ସେ କ’ଣ ଅନ୍ୟ ଧର୍ମ ବିଷୟରେ ଏହା କହିପାରିବେ?