
ଯୋଗୀଙ୍କୁ ହତ୍ୟା ଧମକ ଦେଇଥିବା ୨୪ ବର୍ଷୀୟା ଯୁବତୀ ଗିରଫ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ଜଣେ ୨୪ ବର୍ଷୀୟା ଯୁବତୀଙ୍କୁ ଗିରଫ କରିଛି ପୁଲିସ। ଯୁବତୀ ଜଣକ ଜଣେ ଆଇଟି ସ୍ନାତକ ଛାତ୍ରୀ ବୋଲି ଜଣାପଡ଼ିଛି। ଥାଣେ ଜିଲାର ଉଲ୍ଲାସନଗରରେ ଯୁବତୀ ଜଣକ ସପରିବାର ରହୁଥିଲେ।ଶନିବାର ଦିନ ମୁମ୍ବାଇ ଟ୍ରାଫିକ ପୁଲିସକୁ ହ୍ବାଟ୍ସଆପ ଜରିଆରେ ଏକ ଧମକପୂର୍ଣ୍ଣ ମେସେଜ ଆସିଥିଲା। ସେଥିରେ ଉଲ୍ଲେଖ ଥିଲା ଯେ, ଯଦି ଯୋଗୀ ଆଦିତ୍ୟନାଥ ୧୦ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ନ ଦିଅନ୍ତି, ତେବେ ତାଙ୍କୁ ଏନସିପି ନେତା ବାବା ସିଦ୍ଦିକୀଙ୍କ ଭଳି ହତ୍ୟା କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏହା ପରେ ମୁମ୍ବାଇର ଆତଙ୍କବାଦୀ ନିରୋଧୀ ସ୍କ୍ଵାଡ୍(ଏଟିଏସ) ଏବଂ ଉଲ୍ଲାସନଗର ପୁଲିସ ଏହାର ତଦନ୍ତ କରି ଉକ୍ତ ଯୁବତୀଙ୍କୁ ଗିରଫ କରିଛନ୍ତି। ନଭେମ୍ବର ୨୦ରେ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ପାଇଁ ଯୋଗୀ ମହାରାଷ୍ଟ୍ର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବାରୁ ପୁଲିସ ସତର୍କ ରହିଛି।