କୋଭିଡ ଭୟରେ ୩ବର୍ଷ ହେଲାଣି ଘରେ ବନ୍ଦ ଥିଲେ ମା’ ପୁଅ
ନୂଆଦିଲ୍ଲୀ: ହରିଆଣା ଗୁରୁଗ୍ରାମର ଚକରପୁରରେ ୩୩ ବର୍ଷୀୟ ଜଣେ ମହିଳା ନିଜ ନାବାଳକ ପୁଅ ସହ ନିଜକୁ ତିନି ବର୍ଷ ଧରି ଏକ ଭଡାଘରେ ବନ୍ଦୀ କରି ରଖିଛନ୍ତି । କରୋନା ମହାମାରୀରୁ ବଞ୍ଚିବା ପାଇଁ ସେ ଏପରି କରିଛନ୍ତି । ପୋଲିସର କହିବା ଅନୁଯାୟୀ, ଏହି ଘଟଣା ମଙ୍ଗଳବାର ଦିନ ସାମ୍ନାକୁ ଆସିଥିଲା । ପ୍ରଶାସନିକ ଅଧିକାରୀମାନେ ଉଭୟ ମା’ ପୁଅଙ୍କୁ ଘରୁ ବାହାରକୁ ଆଣିଥିଲେ । ପୋଲିସ ଟିମ, ସ୍ୱାସ୍ଥ୍ୟ ବିଭାଗ ଏବଂ ଚାଇଲଡ ୱେଲଫେୟାର ଡିପାର୍ଟମେଣ୍ଟର ଅଧିକାରୀମାନେ ଘରର ମୁଖ୍ୟ କବାଟ ଭାଙ୍ଗି ମା’ ମୁନମୁନ ମାଞ୍ଝି ଏବଂ ତାଙ୍କର ୧୦ ବର୍ଷର ପୁଅକୁ ବାହାରକୁ ଆଣିଥିଲୋ । ପରେ ମା’ ଓ ପୁଅକୁ ଗୁରୁଗ୍ରାମର ସିଭିଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।
ଗୁରୁଗ୍ରାମ ସିଭିଲ ସର୍ଜନ ଡାକ୍ତର ବୀରେନ୍ଦ୍ର ଯାଦବଙ୍କ କହିବା ଅନୁସାରେ ମହିଳାଙ୍କ ମାନସିକ ସମସ୍ୟା ରହିଛି । ଉଭୟଙ୍କୁ ପିଜିଆଇ ରୋହତକକୁ ରେଫର କରାଯାଇଛି । ସେଠାରେ ତାଙ୍କୁ ଚିକିତ୍ସା ପାଇଁ ମାନସିକ ରୋଗ ୱାଡରେ ଭର୍ତ୍ତି କରାଯାଇଛି । ଏ ନେଇ ମହିଳାଙ୍କ ସ୍ୱାମୀ ସୁଜାନ ମାଞ୍ଝି ଚକରପୁର ପୋଲିସ ଫାଣ୍ଡିରେ ଥିବା ସହାୟକ ଉପନିରକ୍ଷକ ପ୍ରବୀଣ କୁମାରଙ୍କ ସହ ସମ୍ପର୍କ ରଖିଥିଲେ । ସୁଜାନ ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଅଛନ୍ତି ।
ପୋଲିସର କହିବା ଅନୁଯାୟୀ, ମହିଳା ଜଣକ ନିଜର ୭ ବର୍ଷର ପୁଅକୁ ନେଇ ଏକ ଘରେ ବନ୍ଦୀ ଜୀବନ ଯାପନ କରୁଥିଲେ ।୨୦୨୦ ପୂର୍ବରୁ ଅର୍ଥାତ ଯେତେବେଳେ ପ୍ରଥମ ଲକଡାଉନ ଘୋଷଣା କରାଗଲା ସେବେଠାରୁ ସେ ଏପରି ବନ୍ଦୀ ଜୀବନ ଜିଉଁଛନ୍ତି । ଏପରକି ଅଫିସ ଯାଇଥିବା ନିଜର ସ୍ୱାମୀଙ୍କୁ ମଧ୍ୟ ଘରକୁ ଆସିବାକୁ ଦେଇ ନ ଥିଲେ । ପ୍ରଥମ କିଛି ଦିନ ସୁଜାନ ନିଜର ବନ୍ଧୁ ଏବଂ ତଥା ସମ୍ପର୍କୀୟଙ୍କ ଘରେ କଟାଇ ଦେଇଥିଲେ । ଶେଷରେ ପତ୍ନୀଙ୍କୁ ବୁଝାଇବାରେ ବିଫଳ ହେବା ପରେ ସେହ ଅଞ୍ଚଳରେ ଅନ୍ୟ ଏକ ଘର ଭଡା ନେଇ ରହିଲେ ।