ଗୁଜୁରାଟକୁ ଛାଡ଼ି ଅନ୍ୟ ସବୁ ରାଜ୍ୟରେ ଅମୁଲ କ୍ଷୀର ଦାମ ଲିଟର ପ୍ରତି ୨ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ବଢ଼ିଲା ଅମୁଲ କ୍ଷୀରର ମୂଲ୍ୟ। ଲହୁଣୀ ଯୁକ୍ତ କ୍ଷୀରର ମୂଲ୍ୟ ଲିଟର ପ୍ରତି ୨ ଟଙ୍କା ବଢ଼ାଇଲା କମ୍ପାନୀ। ଗୁଜୁରାଟ କୋପରେଟିଭ ମିଲ୍‌କି ମାର୍କେଟିଂ ଫେଡେରେସନ ଏଲ୍‌ଟିଡି(GCMMF LTD) କମ୍ପାନୀ ଅମୁଲ ବ୍ରାଣ୍ଡ୍‌ରେ କ୍ଷୀର ବିକ୍ରି କରୁଛି। ଏବେ କମ୍ପାନୀ ମୂଲ୍ୟ ବଢ଼ାଇବା ପରେ କ୍ଷୀରର ମୂଲ୍ୟ ୬୧ ଟଙ୍କାରୁ ୬୩ ଟଙ୍କା ହୋଇଛି।
ଦିନକୁ ଦିନ ମୁଦ୍ରାସ୍ଫୀତି ବଢ଼ି ଚାଲିଥିବା ବେଳେ ମହଙ୍ଗା ସ୍ଥିତି ଲୋକଙ୍କ ପକେଟ୍ ଖାଲି କରୁଛି। ଏବେ କ୍ଷୀର ମୂଲ୍ୟ ବୃଦ୍ଧି ମଧ୍ୟବିତ୍ତ ପରିବାରକୁ ଆହୁରି ମହଙ୍ଗା ପଡ଼ିବ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଗୁଜୁରାଟରେ ନିର୍ବାଚନ ଥିବାରୁ ଏହି ରାଜ୍ୟକୁ ଛାଡ଼ିଦେଲେ ଆଉ ସବୁ ରାଜ୍ୟରେ କ୍ଷୀର ମୂଲ୍ୟ ବଢାଇଛି କମ୍ପାନୀ। ଗୁଜୁରାଟରେ ଆଗକୁ ନିର୍ବାଚନ ଥିବାରୁ ମୂଲ୍ୟ ବଢ଼ାଯାଇ ନଥିବା ଚର୍ଚ୍ଚା ହେଉଛି।

କ୍ଷୀରର ମୂଲ୍ୟ ବୃଦ୍ଧି ନେଇ GCMMF LTDର ଏମ୍‌ଡି ଆର୍‌ଏସ୍‌ ସୋଧି କହିଛନ୍ତି “ ଗୁଜୁରାଟକୁ ଛାଡ଼ିଦେଲେ ଅମୁଲ ଅନ୍ୟ ସବୁ ରାଜ୍ୟରେ ଲହୁଣୀ ଯୁକ୍ତ କ୍ଷୀର ଓ ମଇଁଷି କ୍ଷୀର ଦାମ ଲିଟର ପ୍ରତି ୨ ଟଙ୍କା ବଢ଼ାଇଛି।”

ଲହୁଣୀଯୁକ୍ତ କ୍ଷୀରର ଚାହିଦାରେ ବୃଦ୍ଧି ହେବା କାରଣରୁ କ୍ଷୀର ମୂଲ୍ୟରେ ବୃଦ୍ଧି କରାଯାଇଛି। ତେବେ କେବଳ ଅମୁଲ ନୁହେଁ ମଦର ଡଏରୀ କ୍ଷୀରର ମୂଲ୍ୟ ବି ବୃଦ୍ଧି ହୋଇଛି। କିଣା ମୂଲ୍ୟରେ ହୋଇଥିବା କ୍ଷତିକୁ ଭରଣା କରିବା ପାଇଁ ମଦର ଡାଏରୀ ତା କ୍ଷୀର ମୂଲ୍ୟରେ ବୃଦ୍ଧି କରିଥିବା ସୂଚନା ମିଳିଛି।

ଚଳିତ ବର୍ଷ ମାର୍ଚ୍ଚ ମାସରେ ପ୍ରଥମେ କ୍ଷୀର ମୂଲ୍ୟରେ ବଦ୍ଧି ପାଇଥିଲା। ଏହାପରେ ଅଗଷ୍ଟ ମାସରେ ଅମୁଲ କ୍ଷୀର ତାର ଅମୁଲ ଗୋଲ୍ଡ, ଶକ୍ତି ଏବଂ ତାଜା ମିଲ୍କ ବ୍ରାଣ୍ଡର ମୂଲ୍ୟ ୨ ଟଙ୍କା ବଢ଼ାଇଥିଲା। ଆଉ ଏବେ ମାତ୍ର ଦୁଇ ମାସ ଭିତରେ ପୁଣି କ୍ଷୀରର ମୂଲ୍ୟ ବଢିଛି।

ଅନ୍ୟପଟେ ଗାଈମାନଙ୍କ ଠାରେ ଦେଖାଯାଉଥିବା ଲମ୍ପି ସ୍କିନ୍ ରୋଗ କ୍ଷୀରର ମୂଲ୍ୟ ବଢ଼ାଇଥିବା କୁହାଯାଇଛି। ଏହି  ରୋଗ ପାଇଁ ରାଜସ୍ଥାନ, ଗୁଜୁରାଟ, ପଞ୍ଜାବ ଭଳି ରାଜ୍ୟରେ କ୍ଷୀର ବିତରଣ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଛି। ଉତ୍ପାଦନରେ  ମଧ୍ୟ ୪୫ ପ୍ରିତଶତ ହ୍ରାସ ପାଇଛି। ଏଥିପାଇଁ କ୍ଷୀର ମୂଲ୍ୟ ବୃଦ୍ଧି ହୋଇଥିବା କୁହାଯାଇଛି।

ଗାଇ ମଇଁଷିଙ୍କ ମଧ୍ୟରେ ଦେଖାଯାଉଥିବା ଲମ୍ପି ରୋଗ ୧୫ଟି ରାଜ୍ୟରେ ବ୍ୟାପିଯାଇଛି। ଉତ୍ତପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ଭଳି ରାଜ୍ୟଗୁଡ଼ିକୁ ମଧ୍ୟ ଏହି ରୋଗ ବ୍ୟାପିଛି। ଏହି ରୋଗ ପାଇଁ ଭାରତରେ ୧ ଲକ୍ଷ ଗାଈ ମଇଁଷିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Related Articles

Back to top button