
କାର୍ତ୍ତିକ ଭିଡ଼ ଯୋଗୁଁ ବଦଳିଲା ଶ୍ରୀମନ୍ଦିରରେ ଦୈନିକ ଧ୍ବଜା ବନ୍ଧା ନୀତି ସମୟ
ସୋମବାର କାର୍ତ୍ତିକ ଭିଡ଼ ଯୋଗୁଁ ବଦଳିଲା ଶ୍ରୀମନ୍ଦିର ରେ ଦୈନିକ ଧ୍ବଜା ବନ୍ଧା ନୀତି ସମୟକୁ ପରିବର୍ତ୍ତନ କରାଯାଇଛି। ଆଜି ସନ୍ଧ୍ୟା ବଦଳରେ ଅପରାହ୍ନ ୩ଟା ୩୦ରୁ ୪ଟା ମଧ୍ୟରେ ଧ୍ବଜା ବନ୍ଧା ଯିବ ବୋଲି ସୂଚନା ରହିଛି। ଏନେଇ ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ ପରେ ଚୁନରା ସେବକଙ୍କୁ ଏଥିନିମନ୍ତେ ଅବଗତ କରାଯାଇଛି ।
ସୂଚନା ଅନୁଯାୟୀ ପଞ୍ଚକ ଆରମ୍ଭ ହୋଇଥିବାରୁ ଏବଂ ଆଜି ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ହରିହର ବେଶ ଥିବାରୁ ଏହି ବେଶରେ ଠାକୁରଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତମାନଙ୍କ ଭିଡ ପରିଲକ୍ଷିତ ହେବ। ତେଣୁ ସନ୍ଧ୍ୟା ପରିବର୍ତ୍ତେ ଅପରାହ୍ନ ୩ଟା ୩୦ରୁ ୪ଟା ମଧ୍ୟରେ ନୀଳଚକ୍ରରେ ସଅଳ ବାନା ପରିବର୍ତ୍ତନ କରିବାକୁ ଚୂନରା ସେବାୟତଙ୍କୁ ଅବଗତ କରାଯାଇଛି।ଶ୍ରୀମନ୍ଦିର ପରମ୍ପରା ଓ ନୀତିକାନ୍ତି ଅନୁଯାୟୀ ପ୍ରତିଦିନ ଚୂନରା ସେବକ ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢି ବାନା ପରିବର୍ତ୍ତନ କରିଥାନ୍ତି। ଏହି ବାନାର ରଙ୍ଗ ଲାଲ, ହଳଦିଆ ଏବଂ ଧଳା ରଙ୍ଗ ହୋଇଥାଏ।