ଯାନ୍ତ୍ରିକ ମରାମତି ନିମନ୍ତେ ମାଛକୁଣ୍ଡ ଜଳବିଦ୍ୟୁତ୍ କେନ୍ଦ୍ରରେ ବିଦ୍ୟୁତ୍ ଉତ୍ପାଦନ ବନ୍ଦ
ଲମତାପୁଟ : କୋରାପୁଟ ଜିଲ୍ଲା ଅନ୍ତର୍ଗତ ମାଛକୁଣ୍ଡ ଜଳବିଦ୍ୟୁତ୍ କେନ୍ଦ୍ରରେ ବିଦ୍ୟୁତ୍ ଉତ୍ପାଦନ ପୁଣି ବନ୍ଦ ହୋଇଯାଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ମରାମତି ନିମନ୍ତେ ଉତ୍ପାଦନ ବନ୍ଦ କରିବାକୁ ପ୍ରକଳ୍ପ ଅଧିକାରୀ ବାଧ୍ୟ ହୋଇଛନ୍ତି। ମରାମତି କାମ ଆରମ୍ଭ ହୋଇସାରିଥିଲେ ସୁଦ୍ଧା କେତେଦିନ ଲାଗିବ କେହି ସ୍ପଷ୍ଟ କରିପାରୁନାହାନ୍ତି।
ପୁଣି ପ୍ରକଳ୍ପରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା। ଫଳରେ, ବିଦ୍ୟୁତ୍ ଉତ୍ପାଦନ ପ୍ରଭାବିତ ହେବାରୁ ଅଧିକାରୀମାନେ ଯାଞ୍ଚ କରିଥିଲେ। ଟିପି ଡ୍ୟାମ୍ର ଟନେଲ ଦେଇ ବିଦ୍ୟୁତ୍ ପ୍ରକଳ୍ପକୁ ଯାଉଥିବା ପାଣି ପାଇପରେ କାଠ ଗଣ୍ଡି ସହ ଆବର୍ଜନା ପଶି ଜାମ୍ ହୋଇଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଥିଲା। ବହୁଦିନ ଧରି ସଫା କରାଯାଇନଥିବାରୁ ପ୍ରକଳ୍ପର ୱାଲ୍ ହାଉସ ନିକଟରେ ରହିଥିବା ବଟର ଫ୍ଲାଏୱାଲ ଭିତରେ କାଠଗଣ୍ଡି ଓ ଆବର୍ଜନା ଭର୍ତ୍ତି ହୋଇରହିଛି। କର୍ମଚାରୀମାନେ ପାଣି ପାଇପ୍ ଭିତରେ ରହିଥିବା ଆବର୍ଜନା ଓ କାଠଗଣ୍ଡିକୁ ବାହାର କରିବା ଆରମ୍ଭ କରିଛନ୍ତି। ସେହିପରି କୌଣସି ଯନ୍ତ୍ରାଂଶରେ ତ୍ରୁଟି ରହିଥିଲେ ତାହାକୁ ତୁରନ୍ତ ମରାମତି କରୁଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବାରୁ ଦିନେ କିମ୍ବା ଦୁଇଦିନ ମଧ୍ୟରେ ଉତ୍ପାଦନ ସ୍ବାଭାବିକ ହୋଇଯିବ ବୋଲି ପ୍ରକଳ୍ପର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ଗତ ମାସରେ ପ୍ରକଳ୍ପର ଟିପି ଡ୍ୟାମ୍ର ଗୋଟିଏ ଟନେଲ୍ ଗେଟ୍ ହଠାତ୍ ଭାଙ୍ଗି ଯାଇଥିଲା। ସେହିପରି ଗେଟ୍ରେ ଅନେକ ବଡ଼ବଡ଼ ଗଛ ଗଣ୍ଡି ଏବଂ ଆବର୍ଜନା ଲାଗି ରହିବା ଫଳରେ ଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇଥିଲା। ଯାହାର ସିଧାସଳଖ ପ୍ରଭାବ ବିଦ୍ୟୁତ ଉତ୍ପାଦନ ଉପରେ ପଡ଼ିବା ସହ ପ୍ରକଳ୍ପ ପ୍ରତି ବଡ଼ ବିପଦ ସୃଷ୍ଟି କରିଥିଲା।