ଚୂଡ଼ାନ୍ତ ଫଟୋ ଭୋଟର ତାଲିକା ପ୍ରକାଶ: ୧୭ ବର୍ଷରୁ ଊର୍ଦ୍ଧ୍ବ ୭୮,୨୬୦ ଯୁବ ଭୋଟର
ଭୁବନେଶ୍ୱର : ରାଜ୍ୟର ୧୪୬ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ଚୂଡ଼ାନ୍ତ ଫଟୋ ଭୋଟର ତାଲିକା ପ୍ରକାଶ ପାଇଛି। ଜାନୁଆରୀ ୧କୁ ଯୋଗ୍ୟତାସୂଚକ ତାରିଖ ଭାବେ ଗ୍ରହଣ କରାଯାଇ ରାଜ୍ୟର ୫୮ଟି ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲାପାଳଙ୍କ କାର୍ଯ୍ୟାଳୟ, ଜିଲା ନିର୍ବାଚନ ଅଧିକାରୀ, ରାଜ୍ୟର ସବୁ ବୁଥ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍ସାଇଟ୍ରେ ୨୦୨୩ ମସିହା ଫଟୋ ଭୋଟର ତାଲିକା ପ୍ରକାଶ କରାଯାଇଛି। ବରଗଡ଼ ଜିଲାର ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ କାର୍ଯ୍ୟ ହୋଇଥିବା ଦୃଷ୍ଟିରୁ ସେଠାରେ ବର୍ତ୍ତମାନ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟ ଚାଲୁରହିଛି।
୨୦୨୩ ମସିହାର ଚୂଡ଼ାନ୍ତ ଫଟୋ ଭୋଟର ତାଲିକା ଅନୁଯାୟୀ ରାଜ୍ୟରେ ସର୍ବମୋଟ ୩,୨୩,୪୯,୩୪୧ ଜଣ ଭୋଟର ଅଛନ୍ତି। ସେଥିମଧ୍ୟରୁ ୧, ୬୪, ୯୬, ୧୫୩ ପୁରୁଷ ଓ ୧,୫୮,୪୯,୯୬୬ ମହିଳା ଏବଂ ୩୨୨୨ ଜଣ ତୃତୀୟଲିଙ୍ଗୀ ଭୋଟର ରହିଛନ୍ତି। ଏତଦ୍ବ୍ୟତୀତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ମଧ୍ୟରେ ୧୭ ବର୍ଷରୁ ଊର୍ଦ୍ଧ୍ବ ୭୮,୨୬୦ ଯୁବ ଭୋଟରଙ୍କ ଆଗୁଆ ଦରଖାସ୍ତ ଗ୍ରହଣ କରାଯାଇଛି।
ପରବର୍ତ୍ତୀ ଯୋଗ୍ୟତାସୂଚକ ତାରିଖ ସମୟରେ ସେମାନଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବ। ଫଟୋ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଭୋଟରଙ୍କ ଫଟୋ ଭୋଟର ପରିଚୟ ପତ୍ର ସ୍ପିଡ଼ ପୋଷ୍ଟ ଡାକ ଯୋଗେ ଘର ଠିକଣାରେ ବିନା ମୂଲ୍ୟରେ ପହଞ୍ଚିବ।
୨୦୨୩ ମସିହାର ଚିଠା ଭୋଟର ତାଲିକାରେ ରାଜ୍ୟର ଲିଙ୍ଗ ଅନୁପାତ ୯୫୯ ଜଣରୁ ଚୂଡ଼ାନ୍ତ ଫଟୋ ଭୋଟର ତାଲିକାରେ ଲିଙ୍ଗ ଅନୁପାତ ୯୬୧କୁ ବୃଦ୍ଧି ପାଇଛି। ଫଟୋ ଭୋଟର ତାଲିକା ଅନୁସାରେ ୧୮-୧୯ ବର୍ଷର ଭୋଟରଙ୍କ ସଂଖ୍ୟା ୨,୧୦,୨୬୮ରୁ ୪୪୬୭୭୯କୁ ବୃଦ୍ଧିପାଇଛି । ଭୋଟର ଫଟୋ ପରିଚୟ ପତ୍ରଧାରୀଙ୍କ ସଂଖ୍ୟା ଶତକଡ଼ା ୯୯.୯୯%କୁ ବୃଦ୍ଧି ପାଇଛି । ଚିଠା ଭୋଟର ତାଲିକାରେ ୪୯୮୯୭ ଚାକିରିଆ ଭୋଟର ଥିବାବେଳେ ୨୦୨୩ର ଚୂଡ଼ାନ୍ତ ଭୋଟର ତାଲିକାରେ ଏହା ବୃଦ୍ଧି ପାଇ ୪୯୯୧୯ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।