ବାରିପଦା ସଂରକ୍ଷିତ ଜଙ୍ଗଲ ଜଳୁଛି

ବାରିପଦା: ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳର ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହୋଇଛି। ଗ୍ରୀଷ୍ମ ପ୍ରବାହ ଓ ପବନର ବେଗ ବୃଦ୍ଧି ଯୋଗୁ ନିଆଁ ଅଣାୟତ୍ତ ହୋଇପଡ଼ିଛି। ମଙ୍ଗଳବାର ମଧ୍ୟାହ୍ନରେ ବାଙ୍ଗିରିପୋଷି ରେଞ୍ଜ ଅଧୀନ ଘିଆଯୋଡ଼ି ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିଲା। ବନ କର୍ମଚାରୀ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ୪୯ନଂ. ଜାତୀୟ ରାଜପଥର ଝାରପୋଖରିଆ ଟୋଲ୍‌ ପ୍ଲାଜା ସନ୍ନିକଟ ସଂରକ୍ଷିତ ଜଙ୍ଗଲରେ ଏହି ନିଆଁ ଲାଗିଛି। ଶୁଖିଲାପତ୍ରଗୁଡ଼ିକ ହୁତ୍‌ ହୁତ୍‌ ହୋଇ ଜଳିବା ଦ୍ୱାରା ଜଙ୍ଗଲ ମଧ୍ୟରେ ନିଆଁ ମାଡ଼ି ଚାଲିଛି। ବଡ଼ ବଡ଼ ଗଛ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ। ବନ, ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ନିଆଁ ଲିଭାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏ ସଂକ୍ରାନ୍ତରେ ବାଙ୍ଗିରିପୋଷି ରେଞ୍ଜର ମହେଶ୍ୱର ସିଂଙ୍କୁ ପଚାରିବାରୁ ଅଧା ହେକ୍ଟର ଜଙ୍ଗଲ ନିଅଁା ଲାଗିଥିବା ଅନୁମାନ କରାଯାଉଛି ଓ ସନ୍ଧ୍ୟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିବା ସେ କହିଛନ୍ତି। ସେହିପରି ବେତନଟୀ ରେଞ୍ଜ ଅଧୀନ ତୁଙ୍ଗାଧୁଆ ଶାଗବାଡ଼ିଆ ସଂରକ୍ଷିତ ଜଙ୍ଗଲରେ ମଧ୍ୟ ନିଆଁ ଲାଗି ବ୍ୟାପକ ନଷ୍ଟ ହୋଇଛି।

Related Articles

Back to top button