
ପୃଥିବୀ-୨ର ସଫଳ ପରୀକ୍ଷଣ, ୩୫୦ କିଲୋମିଟର ଟାର୍ଗେଟ୍ କରିପାରିବ
ଚାନ୍ଦିପୁର: ମଙ୍ଗଳବାର ସ୍ୱଳ୍ପ ଦୂରଗାମୀ ବାଲାଷ୍ଟିକ୍ ମିସାଇଲ୍ ପୃଥିବୀ-୨ର ସଫଳ ପରୀକ୍ଷଣ କରାଯାଇଛି। ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଏହାର ପରୀକ୍ଷଣ କରାଯାଇଛି। ପୃଥିବୀ-୨ ମାରକ କ୍ଷମାତ ୩୫୦ କିମି ରହିଛି।
ମିସାଇଲର ସଫଳ ପରୀକ୍ଷଣ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରାଳୟ କହିଛି “ ୨୦୨୩ ଜାନୁଆରୀ ୧୦ ତାରିଖ ଓଡ଼ିଶା ଉପକୂଳ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ସ୍ୱଳ୍ପ ଦୁରାଗମୀ ମିସାଇଲ୍ ପୃଥିବୀ-୨ର ସଫଳ ପରୀକ୍ଷଣ କରାଯାଇଛି। ସୁବିକଶିତ ପୃଥିବୀ-୨ କ୍ଷେପଣାସ୍ତ୍ର ଭାରତର ଆଣବିକ ନିରାକରଣର ଏକ ଅବିଚ୍ଛେଦ୍ୟ ଅଙ୍ଗ।” ମିସାଇଲ୍ ଉଚ୍ଚତାରୁ ସଠିକ୍ ଭାବରେ ଟାର୍ଗେଟ୍ କରିପାରିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।
ସୂଚନା ଅନୁସାରେ ଏହି ମିସାଇଲ୍ରେ ଦୁଇଟି ହାଲୁକା ମାରକ ଇଞ୍ଜିନ ଖଞ୍ଜାଯାଇଛି। ଏହା ୩୫୦ କିଲୋମିଟର ଟାର୍ଗେଟ୍ କରିପାରୁଥିବା ବେଳେ ୫୦୦-୧୦୦୦ କେଜି ଓଜନର ଅସ୍ତ୍ର ସାଙ୍ଗରେ ନେଇପାରିବ। ଲକ୍ଷ୍ୟ ଭେଦ କରିବା ପାଇଁ ଏଥିରେ ଇନର୍ସିଆଲ୍ ନେଭିଗେସନ ପ୍ରଣାଳି ରହିଛି। ଫଳରେ ମିସାଇଲ ଟାର୍ଗେଟ୍ ଅନୁସାର ଉକ୍ତ ସ୍ଥାନକୁ ସହଜରେ ବୁଲି ଆକ୍ରମଣ କରିପାରିବ।
ସୂଚନା ଥାଉକି ପୃଥିବୀ-୨କୁ ଇଣ୍ଟିଗ୍ରେଟେଡ୍ ଗାଇଡେଡ୍ ମିସାଇଲ ଡେଭଲପମେଣ୍ଟ ପ୍ରୋଗ୍ରାମରେ ଡିଆର୍ଡିଓ ଏହାକୁ ବିକଶିତ କରିଥିଲା। ୨୦୧୮-ଓ ୨୦୧୯ରେ ମଧ୍ୟ ଏହି ମିସାଇଲ୍ର ସଫଳ ପରୀକ୍ଷଣ କରାଯାଇଥିଲା।