ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ହେଲେ ପ୍ରକାଶ ମିଶ୍ର :ଅବସରପ୍ରାପ୍ତ ଆଇଏଏସ ମଧୁସୂଦନ ପାଢ଼ୀ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ନୂଆ ଦାୟିତ୍ବ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପଦେଷ୍ଟା ଭାବେ ପ୍ରକାଶ ମିଶ୍ରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ପୂର୍ବତନ ପୁଲିସ ମହାନିର୍ଦେଶକ ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପଦେଷ୍ଟା ଭାବେ କାର୍ଯ୍ୟକରିବେ। ପ୍ରକାଶ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିବା ପରେ ତାଙ୍କୁ କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଛି।
ସେପଟେ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅବସରପ୍ରାପ୍ତ ଆଇଏଏସ ମଧୁସୂଦନ ପାଢ଼ୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି। ମଧୁସୂଦନ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ପରେ ଖାଲି ପଡ଼ିଥିଲା ରାଜ୍ୟ ନିର୍ବାଚନ କମିଶନର ପଦ। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ମଧୁସୂଦନ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି(ଏସଜେଟିଏ)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହିତ ନୂଆଦିଲ୍ଲୀସ୍ଥିତ ଓଡିଶା ସରକାରଙ୍କ ମୁଖ୍ୟ ଆବାସିକ ଆୟୁକ୍ତ ଭାବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଅତିରିକ୍ତ ଦାୟିତ୍ୱ ତୁଲାଇବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।