ସିଂହଦ୍ୱାର ମରାମତି ଆରମ୍ଭ , ଲାଗିବ ରୂପାର କବାଟ

ପୁରୀ: ଶ୍ରୀମନ୍ଦିରର ସିଂହଦ୍ଵାରର ନୂତନ ରୂପାଦ୍ୱାର ସ୍ଥାପନ କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପୂର୍ବ ନିଷ୍ପତ୍ତି ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନ ଯାତ୍ରାରେ ବାହାରିବା ପରେ ଆରମ୍ଭ ହୋଇଛି ମରାମତି କାମ । ପ୍ରଥମେ ପ୍ଲାଇରେ ନିର୍ମିତ ଅସ୍ଥାୟୀ ସିଂହଦ୍ୱାର ତିଆରି କରାଯାଉଛି । ଏହାପରେ ସିଂହଦ୍ବାରରେ ଥିବା ପିତ୍ତଳ ଦ୍ୱାରକୁ ଖୋଲାଯିବ ।

ମୁମ୍ବାଇର ଜଣେ ଦାତା ଶ୍ରମନ୍ଦିର ସିଂହଦ୍ୱାରକୁ ରୁପା ଛାଉଣି କରିବା ପାଇଁ ମନ୍ଦିର ପ୍ରଶାସନକୁ ରୁପା ଦାନ କରିଛନ୍ତି । ବର୍ତ୍ତମାନ ଲାଗିଥିବା ସିଂହଦ୍ୱାର କବାଟର ଅବିକଳ ଆଉ ଏକ ଅସ୍ଥାୟୀ ଦ୍ୱାର ନୀଳାଚଳ ଭକ୍ତନିବାସରେ ନିର୍ମାଣ କରାଯାଉଛି । ମହାପ୍ରଭୁଙ୍କର ନୀତି କାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ଯେଭଳି ପ୍ରଭାବିତ ନ ହୁଏ ସେଥିପାଇଁ ସେଠାରେ ଏହି ଅବିକଳ ଡିଜାଇନ୍‌ ନିର୍ମାଣ କରାଯାଉଛି । ଏହାର ନିର୍ମାଣ ସରିବା ପରେ ବର୍ତ୍ତମାନ ଲାଗିଥିବା ଦ୍ୱାରକୁ ଖୋଲାଯାଇ ସେଠାରେ ଏହା ଲାଗିବ ।

ପରେ ମୁଖ୍ୟ ଦ୍ୱାରକୁ ରୁପା ଛାଉଣି କରାଯାଇ ପୁନର୍ବାର ସିଂହଦ୍ୱାରରେ ଲଗାଯିବ । ତେବେ ଏ ସମସ୍ତ କାର୍ଯ୍ୟ ସିସିଟିଭି ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ତତ୍ତ୍ୱାବଧାନରେ କରାଯାଉଛି । ଶ୍ରୀମନ୍ଦିର ବୈଷୟିକ କୋର କମିଟି ଏହାର ଅନୁଧ୍ୟାନ କରିବ । ସେପଟେ କାମ ଚାଲିଥିବା ସମୟରେ ସିଂହଦ୍ୱାରକୁ ସିଲ୍‌ କରାଯାଇ ଶ୍ରଦ୍ଧାଳୁମାନଙ୍କୁ ଅନ୍ୟ ଦ୍ୱାର ଦେଇ ଛଡ଼ାଯିବ ବୋଲି ଜଣାପଡ଼ିଛି ।

Related Articles

Back to top button