ରଥଯାତ୍ରା ପାଇଁ ମୁତୟନ ହେବେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ, ସିସିଟିଭି କ୍ୟାମେରା ଓ କଣ୍ଟ୍ରୋଲ ରୁମ୍ ଜରିଆରେ ପ୍ରଶାସନ ରଖିବ ନଜର

ପୁରୀ ଆଉ ମାତ୍ର ଦୁଇ ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯିବ। ସିସିଟିଭି କ୍ୟାମେରା ଓ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ତୀକ୍ଷ୍ଣ ନଜର ରଖାଯିବ। ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ଚଳିତବର୍ଷ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ୧୦ ରୁ ୧୫ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୋମବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏଡିଜି, ଆଇଜି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ପୋଲିସ ସେବା ମନୋଭାବ ନେଇ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରାଥମିକତା ଦିଆଯାଇଛି। ରେଳବାଇ ଓ ତଟ ସୁରକ୍ଷା ସହ ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ସେହିପରି ପହଣ୍ଡି, ରଥଟଣା, ଜନଗହଳି ନିୟନ୍ତ୍ରଣ, ଭିଆଇପିଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ପରିଚାଳନା ପାଇଁ ବଛା ବଛା ୧୦୦୦ ଅଧିକାରୀ ମୁତୟନ ହେବେ।

ସେହିପରି ଟ୍ରାଫିକ ବ୍ୟବସ୍ଥା ପରିଚାଳନା ପାଇଁ ସ୍ବତନ୍ତ୍ର ଟ୍ରାଫିକ୍ ମୋବିଲିଟି ପ୍ଲାନ୍ ହୋଇଛି। ବଡଦାଣ୍ଡ ସହ ପୁରୀ ସହରକୁ ୧୦ଟି ଜୋନ ଓ ୨୯ଟି ସେକ୍ଟରରେ ବିଭକ୍ତ କରାଯାଇଛି। କଣ୍ଟ୍ରୋଲ ରୁମ୍ ସହର ଭିତରେ ଦୁଇଟି ଓ ସହର ବାହାରେ ଗୋଟିଏ ଭାଗରେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ସହର ଭିତରେ ଓ ବାହାରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ସହ ଖୁବଶୀଘ୍ର ରୁଟ୍ ଚାର୍ଟ ପ୍ରସ୍ତୁତ ହେବ। ଭୁବନେଶ୍ବର ଆଡୁ ଆସୁଥିବା ରାଜ୍ୟ ବାହାର ବସ୍‌ଗୁଡିକ ମାଳତୀପାଟପୁର ବସ୍ ଟର୍ମିନାଲରେ, ଆନ୍ତଃ ରାଜ୍ୟ ବସ୍ ଗୁଡିକ ତାଳବଣିଆ ଓ ଉଦ୍ୟାନ ବିଭାଗ ଫାର୍ମରେ, ଚାରିଚକିଆ ଗାଡି ଗୁଡିକ ତାଳବଣିଆ ଓ ସହରର ତିନୋଟି ସ୍ଥାନରେ, ଦୁଇ ଚକିଆ ଗାଡ଼ି ଗୁଡିକ ସହର ଭିତରେ ହୋଇଥିବା ପାର୍କିଂ ସ୍ଥାନରେ ପାର୍କିଂ କରିବେ। କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଟ୍ରାଫିକ ବ୍ୟବସ୍ଥାର ନିୟନ୍ତ୍ରଣ କରାଯିବ। ନବଯୌବନ ଦର୍ଶନ ଓ ରଥଯାତ୍ରା, ସନ୍ଧ୍ୟା ଦର୍ଶନ ଓ ବାହୁଡା ଯାତ୍ରା, ସୁନାବେଶ ଓ ରଥର ଅନ୍ୟ ଦିନ ସହ ଜରୁରୀକାଳୀନ ପରିସ୍ଥିତି ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ପାଇଁ ଟ୍ରାଫିକ ବ୍ୟବସ୍ଥା ଦାୟିତ୍ବରେ ଥିବା ଅମିତାଭ ଠାକୁର ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି।

ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିର ନିକଟରେ ଡିଜିପି ସୁନୀଲ ବଂଶଲ,‌ ଆଇନ ଶୃଙ୍ଖଳା ଆଇଜି ଆର. କେ. ଶର୍ମା, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଓ ଏସପି କନୱର ବିଶାଳ ସିଂ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ତେବେ ଏହି ସମୀକ୍ଷା ବୈଠକରେ ରେଳବାଇ ଏଡିଜି ସୁଧାଂଶୁ ଷଡଙ୍ଗୀ, ଅତିରିକ୍ତ ସିପି ଉମାଶଙ୍କର ଦାଶ, ଆଇଜି ସତ୍ୟବ୍ରତ ଭୋଇ, ଆଇଜି ହେଡକ୍ବାଟର ଦେବଦତ୍ତ ସିଂ, ଏଡିଜି ସଂଜୀବ ପଣ୍ଡା, ଆଇଜି ଅମିତାଭ ଠାକୁର, ଡିଆଇଜି ଜୟନାରାୟଣ ପଙ୍କଜ, ଅନିରୁଦ୍ଧ ସିଂହ, ସ୍ପେଷାଲ ବ୍ରାଞ୍ଚ ଡିଆଇଜି ଅନୁପ କୁମାର ସାହୁ ଓ ରେଳବାଇ ସୁରକ୍ଷା ଡିଆଇଜି ପି. ଭି.ଏସ୍ ସାନ୍ଥାରାମ ଯୋଗ ଦେଇଥିଲେ।

Related Articles

Back to top button