
ଭୁବନେଶ୍ୱରରେ ଜମି ଜାଲିଆତି କରି ବିକୁଥିବା ଦୁଇ ଠକ ଗିରଫ
ଭୁବନେଶ୍ୱର: ମୂଳ ଜମି ମାଲିକର ଦସ୍ତାବିଜକୁ ନକଲି କରି ଜମି ବିକ୍ରି କରି ମାଲାମାଲ ହେବାକୁ ଚେଷ୍ଟା କରୁଥିବା ଦୁଇ ଠକ ଗିରଫ। ରବିବାର ୨ଜଣ ସଦସ୍ୟଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ଏହି ରାକେଟର ମାଷ୍ଟରମାଇଣ୍ଡ୍ କଟକ ଜିଲ୍ଲା ଆଠଗଡ଼ ମଞ୍ଜରିପଡ଼ା ଅଞ୍ଚଳର ଆଦିତ୍ୟ ସାହୁ ଓ ସହଯୋଗୀ ଜଗତ୍ସିଂହପୁର ଜିଲ୍ଲା ରାହାମା ଅଞ୍ଚଳର ସବିତା ଦାସ।
ଏହି ଦୁଇ ଠକ ଏବଂ ତାଙ୍କର କିଛି ସହଯୋଗୀ ରାଜଧାନୀରେ ସକ୍ରିୟ ରହି ଜମି କିଣୁଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ। ଆଉ ବିଭିନ୍ନ ଜମିର ମାଲିକ କିଏ ତାକୁ ପ୍ରଥମେ ଚିହ୍ନଟ କରି ସେହି ଜମିର କାଗଜପତ୍ରକୁ ଜାଲ ଭାବେ ପଇସାପତ୍ର ଦେଇ ତିଆରି କରୁଥିଲେ। ଆଉ ଜାଲ ଡକ୍ୟୁମେଣ୍ଟ ଦେଖାଇ ଆଦିତ୍ୟ, ସବିତା ଏବଂ ତାଙ୍କ ଗୋଷ୍ଠୀ ଲୋକଙ୍କ ଝାଳବୁହା ଧନକୁ ନିଜ ପକେଟରେ ପୁରାଇ ନିଜ ଠକେଇ କ୍ୟାରିଅରକୁ ଆଗକୁ ବଢ଼ାଉଥିଲେ। ଏପରି ଠକେଇ କରି ଏହି ଠକ ଗୋଷ୍ଠୀ ଲକ୍ଷ ଲକ୍ଷ ଟଙ୍କା ବେଆଇନ ଭାବେ ରୋଜଗାର କରିଥିବା ଅଭିଯୋଗ ହୋଇଛି।
ନିକଟରେ ବାରଙ୍ଗ ବଚ୍ଛାପୁରର ରଙ୍ଗଲତା ସ୍ବାଇଁଙ୍କ ଜମିକୁ ଚଞ୍ଚକତା କରି ସବିତାଙ୍କ ନାମରେ କରାଯାଇଥିଲା। ରଙ୍ଗଲତାଙ୍କ ଜାଲ୍ ଆଧାର କାର୍ଡ, ଭୋଟର୍ ଆଇଡି ଆଦି ପ୍ରସ୍ତୁତ କରି ସେଥିରେ ସବିତାଙ୍କ ଫଟୋକୁ ବ୍ୟବହାର କରାଯାଇଥିଲା ବୋଲି ଅଭିଯୋଗ ରହିଛି।
ଏହାପରେ ଏହି ଜମିକୁ ୨କୋଟି ଟଙ୍କାରେ ବିକ୍ରି କରିବାକୁ ମସୁଧା କରିଥିଲେ। ଆଉ ତାଙ୍କ ଜାଲରେ ପଡ଼ିଥିଲେ ଶୈଳଶ୍ରୀବିହାର ଅଞ୍ଚଳର ସ୍ବସ୍ତିରଂଜନ ପାଣି। ଉକ୍ତ ଜମିକୁ କିଣିବାକୁ ଲକ୍ଷ୍ୟ ରଖି ଅଗ୍ରୀମ ୨୫ଲକ୍ଷ ଟଙ୍କା ମଧ୍ୟ ସ୍ୱସ୍ତି ଠକଙ୍କୁ ଦେଇଥିଲେ। କିନ୍ତୁ ପରେ ଜାଣିବାକୁ ପାଇଥିଲେ ଯେ ସେ ଠକେଇର ଶିକାର ହୋଇଛନ୍ତି।
ଏହାପରେ ଇଓଡବ୍ଲୁର ସହାୟତା ନେଇଥିଲେ। ଏହି ମାମଲାର ତଦନ୍ତ କରି ଆଦିତ୍ୟ ଓ ପରେ ସବିତାଙ୍କୁ ଗିରଫ ହୋଇଛନ୍ତି। ଏହି ରାକେଟରେ ସାମିଲ ଥିବା ଅନ୍ୟ କିଛି ସଦସ୍ୟଙ୍କୁ ମଧ୍ୟ ଗିରଫ କରିବାକୁ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ରହିଛି।