
ସମ୍ବଲପୁରରେ ୨ ଜଣ ନାବାଳକ ବାଇକ ଚାଳକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା
ସମ୍ବଲପୁର: ଟ୍ରାଫିକ ନିୟମକୁ ଆହୁରି କଡାକଡି କରିଛି ଓଡିଶା ପୋଲିସ । ବିଶେଷ କରି ନାବାଳକ ଗାଡି ଚାଳନା ବିରୋଧରେ ପ୍ରଶାସନ ଜାରି କରିଛି ନୂଆ ନିୟମ । ନାବାଳକ ଗାଡି ଚାଳକ ଧରା ପଡିଲେ ଅଭିଭାବକଙ୍କ ପାଖରୁ ଜରିମାନା ଆଦାୟ କରାଯିବ । ଆଉ ଏହି ନିୟମ ଅନୁସାରେ, ଆଜି ସମ୍ବଲପୁରରେ ୨ ଜଣଙ୍କୁ ଦେବାକୁ ପଡିଛି ମୋଟା ଅଙ୍କର ଜରିମାନା ।
ସୂଚନା ଅନୁସାରେ, ନାବାଳକଙ୍କ ବାଇକ ଚୁାଳନା ଉପରେ କଡା ଯାଞ୍ଚ କରାଯାଉଥିବା ବେଳେ ରାୟଗଡା କଲେଜ ରୋଡରେ ୨ ଜଣ ବାଇକ ଚାଳକଙ୍କୁ ଧରିଛି ପୋଲିସ । ତେବେ ପୋଲିସ ଏବଂ ପରିବହନ ବିଭାଗର ଏହି ମିଳିତ ଯାଞ୍ଚ ସମୟରେ ଉଭୟଙ୍କୁ ଗାଡି ଚାଳନା ସମୟରେ ଅଟକ ରଖାଯାଇଥିଲା । ହୀରାକୁଦ-ରେମେଡ ରାସ୍ତା ଓ ଧନୁପାଲଇ ଥାନା ସରଲାକାନିରେ ଚେକିଂ ଚାଲିଥିବା ବେଳେ ପୋଲିସ ହାତରେ ଏମାନେ ଧରାପଡିଥିଲେ । ଏହାପରେ ଉଭୟ ନାବାଳକଙ୍କ ଉପରେ ଜରିମାନା ଆକାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ସେମାନଙ୍କ ଅଭିଭାବକଙ୍କୁ ଡକାଇ ଉଭୟଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି ।
ହୀରାକୁଦ ନ୍ୟୁ ମାର୍କେଟ ଅଞ୍ଚଳର କୃଷ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ଏବଂ କ୍ଷେତରାଜପୁର କ୍ରୀଷ୍ଣାନଗରର ଶ୍ରୀରାମ ରତନ ସିଂହଙ୍କ ପୁଅକୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା କରିଛି ସମ୍ବଲପୁର ପରିବହନ ବିଭାଗ । ଏହା ସହିତ ନାବାଳକ ଚଳାଉଥିବା ୨ ଗାଡିକୁ ମଧ୍ୟ ଜବତ କରାଯାଇଛି ।